Unknown

 

 

 

 

 

 

 

 

 

ସଂସ୍କାର ସଙ୍ଗୀତାବଳୀ

ଶ୍ରୀବତ୍ସ ପଣ୍ଡା

 

ରାଗ ସୌରାଷ୍ଟ୍ର-ତାଳ ଆଦି

କୃପାମୟି ଜଳଧେ ଶ୍ରୀହରି-ବୃତ୍ତରେ ।

ସ୍ୱୟମ୍ଭ ପରାତ୍ପର ଅନାଦିଂନିତ୍ୟ ନିର୍ବିକାର ଶ୍ରୀନିଧି ।

ଗୁଣ ନିର୍ଗୁଣ ଆଦିକାରଣ ସୀମାତୀତ ଶକ୍ତିର ବାରିଧି ।।

ନିରାକାର ନିରୂପମାକୃତି ସତ୍ୟଶିବ ସୁନ୍ଦର ବିଭୂତି ।

ଜ୍ଞାନ-ଅଞ୍ଜନ ଭ୍ରମ ନାଶକ ପ୍ରଭୁ ପଦେ ସର୍ବଦା ବିନତି ।।

 

ସହାନା-ଯତ୍‌

ଥରେ ଭଲା କୃପା କର ପ୍ରଭୁ ନିରଞ୍ଜନ,

କୁସଂସ୍କାର ରାଶି ଯାଉ ଏ ଦେଶୁ ବହନ ।। ପଦ ।।

 

କୁଳାଚାର ଦେବାଚାର କରନ୍ତୁ କି ଅତ୍ୟାଚାର,

ନାଶି ସେହି ଦୁରା ରେ ହର ହେ, କଷଣ । ୧ ।

ଘୋର କୁସଂସ୍କାରେ ପଡ଼ି ଏଦେଶେ ଯାଉଛି ସଢ଼ି,

କେତେକାଳ ଏହିଭାବେ କାଟିବୁ ଜୀବନ । ୨ ।

 

ହିନ୍ଦୁ ସମାଜ କୁରୀତି ଦେଖି ଜନ୍ମେ କ୍ଷୋଭ ଆଜି,

କି କରିବୁ ? ସେହିକୁଳେ ଲଭିଛୁ ଜନମ । ୩ ।

ତୁମ୍ଭଙ୍କୁ କଲେ ପ୍ରାର୍ଥନା ନିଶ୍ଚେ ପୁରିବ କାମନା,

ଭିଆଇଛ ଯେଣୁ ତୁମ୍ଭେ ବିଶ୍ୱଭାବନା । ୪ ।

ଶ୍ରୀ ଜଗନ୍ନାଥପଣ୍ଡା-କୋଠପଦା ।

 

ତୋଡ଼ିପରଜ, ଆଠତାଳ

କୃପା ନିଧନ ହେ କୃପା କି ନ ହେବ ଆଉ ।

ବିସାଦ ସାଗରେ ମରିବୁ କି ତୁମ୍ଭେ ନୀଳାଞ୍ଚଳେ ଥାଉ ଥାଉ । ପଦ ।

 

ଶଙ୍ଖ ଚକ୍ର ଗଦା ପଦ୍ମ ଚତୁର୍ଭୁଜେ ଉଜ୍ଜ୍ୱଳଇ ଦାଉ, ଦାଉ,

ବିଧବା ବାଳାର ଦୁଃଖ ହରଣ ର ହୀନବଳ କି ସେ ବାହୁ ? । ୧ ।

ଶୁଣିଥିଲି ପୂର୍ବେ ହରିଣୀ ବିପଦ ହରିଥିଲ ସୁମରଣେ,

ଅନାଥା ବିଧବା ଡାକିଲେ ଆର ତ ନଶୁଣଛ କି କାରଣେ । ୨ ।

 

କୁରୁ ସଭାତଳେ ପାଞ୍ଚାଳି ବିବଶା ଜାଣି ଲଜ୍ଜା ନିବାରିଲ,

ନିଦାରୁଣ ପାପ ସ୍ରୋତେ ଭାଷିଗଲୁ, କୃପା କିମ୍ପା ସମ୍ବରିଲ । ୩ ।

ଦାରୁଣ ଯନ୍ତ୍ରଣା ଆଉ କେତେକାଳ ସହିବାକୁ ଅଛି କର୍ମେ,

ଧର୍ମେ ଧରଣୀୟା ହୋଇଛି ଧରଣୀ, ନିମ୍ନଗାହେବ ଅଧର୍ମେ । ୪ ।

ଶ୍ରୀ ବାଞ୍ଛାନିଧି କବିଭୂଷଣ ।

 

ରାଗ ଆରବି-ତାଳ ଝୁଲା

କିନାଦରେ ପ୍ରାଣସଙ୍ଗିନୀ-ବୃତ୍ତରେ

ଦେଖ ସେ ପୁରୀନଗରୀ            ମର୍ତ୍ତ୍ୟରେ ସ୍ୱରଗ ଶିରୀ,

ଯହିଁ ବିରାଜନ୍ତି ପ୍ରଭୁ ଜଗନ୍ନାଥ ନାମ ଧରି । ପଦ ।

 

ଦର୍ଶନେ ହୋଇ ଲାଳସୀ            ହର୍ଷମନେ ଯାତ୍ରୀ ଆସି,

ମଠବାଡ଼ି ସାହି ଗଳି ରହିଥାନ୍ତି ତହିଁ ପୁରି । ୧ ।

ପତ୍ରୀ, ପଣ୍ଡା, ପଢ଼ିଆରି            କରି ଅତ୍ୟାଚାର ଭାରି,

ଯାତ୍ରୀଠାରୁ ଭଣ୍ଡିକରି ପଇସା ନିଅନ୍ତି ଜୁରି । ୨ ।

 

ବଙ୍ଗ, ଆନ୍ଧ୍ର, ମାରବାଡ଼ି            ଓଡ଼ିଆଙ୍କ ଫାନ୍ଦେ ପଡ଼ି,

ମଣ୍ଡପେ ମୁଣ୍ଡ କଚାଡ଼ି ଗଣିଦିଅନ୍ତି କଉଡ଼ି । ୩ ।

ଜାତିଭେଦ ନ ବିଚାରି            ଶୁଦ୍ର ହସ୍ତ ବିପ୍ରେ ଧରି,

ଅବଢ଼ାନ୍ନ ତରକାରି ଖାନ୍ତି ମନ ଖୁସିକରି । ୪ ।

ବୋଲି ଖ୍ୟାତି ଜଗତରେ କରିଥାଏଟି ବିସ୍ତାରି । ୫ ।

ଯଦି ଏହି ସମଭାବ            ଭାରତରେ ବ୍ୟାପିଯିବ,

ହିନ୍ଦୁ ଏକତା ବଢ଼ିବ ଶ୍ରୀବତ୍ସ ଭାବେ ବିଚାରି । ୭ ।

 

ରାଗ ସେନା ତାଳ ଆଦି

ଜଣାଗଲାଣି ଏଥର-ବୃତ୍ତରେ ।

ଭାବନାହିଁ ବସିଭାଇ, ଦେଶାଚାର ମନେଧ୍ୟାୟି,

ଦେଶାଚାର ସବୁ ଏହି କାଳକ୍ରମେ ବଦଳଇ । ପଦ ।

 

ଯୁଗେ ଯୁଗେ ଯୁଗାନ୍ତର ଧାରାଅଟେ ସଂସାରର ।

ରହେନାହିଁ କିଛି ଏହି ଜଗତରେ ଚିରସ୍ଥାୟୀ । ୧ ।

ଶ୍ରୁତି, ସ୍ମୃତି, ଯୁଗରୀତି ଲୋକେ, ଆଉ ନା ପାଳନ୍ତି,

ପୁରାଣରେ ଭୁଲିଛନ୍ତି, କାହାଣିରେ ମନଦେଇ । ୨ ।

 

ବିପ୍ରେ ତେଜି ଅଗ୍ନିହୋତ୍ର ଶିକ୍ଷି କାନଫୁଙ୍କାମନ୍ତ୍ର

ଦୀକ୍ଷାଗୁରୁ ବୃତ୍ତିକଲେ ବାରଷିକ ଟଙ୍କାପାଇଁ । ୩ ।

ବ୍ରହ୍ମମୟ ଭାରତରେ ବୁଦ୍ଧଜନେ ପୁରୀଠାରେ

ଦାରୁବ୍ରହ୍ମ ସ୍ଥାପିଦେଲେ ଜଗନ୍ନାଥ ନାମଦେଇ । ୪ ।

 

ଏହି ବ୍ରହ୍ମାଣ୍ଡଠାକୁର ପ୍ରତିଦ୍ୱାଦଶ ବତ୍ସର

ଛାଡ଼ନ୍ତି ଜୀର୍ଣ୍ଣଶରୀର ନୂଆ କଳେବର ବହି । ୫ ।

ବିଦ୍ୟାଶିକ୍ଷା ଅଭିଳାଷୀ ଶ୍ରୋତ୍ରିୟ ବ୍ରାହ୍ମଣେ ଆସି ।

ମୁକ୍ତିମଣ୍ଡପରେ ବସି ଦିଅନ୍ତି ଶାସ୍ତ୍ର ଦୋହାଇ । ୬ ।

 

ଆଜି ବିପ୍ର ନାମଧାରୀ କେତେ ଅବାକୃକ୍ଷିମ୍ଭରୀ

ପଇସା ନିଅନ୍ତି ଜୁରି ଦର୍ଶକକୁ ଭଣ୍ଡିଦେଇ । ୭ ।

ବେଦଥିଲା ଶ୍ରୁତିଗତ ଶୁଦ୍ରକର୍ଣ୍ଣ ବହିର୍ଭୁତ,

ଏଣୁ ଶ୍ରୁତିବୋଲି ତାର ନାମଅଛି ଖ୍ୟାତିହୋଇ । ୮ ।

 

ତାର ଅନୁବାଦ ଆଜି କରି ଜାତ ଇଙ୍ଗରାଜି ।

ଦେଶ ଦେଶାନ୍ତରେ ଦେଲେ ବ୍ରହ୍ମଜ୍ଞାନ ପ୍ରଚରାଇ । ୯ ।

ମାଟିଦୀପ ତେଲ ଜଡ଼ା ହୁଏନାହିଁ ଆଉ ଲୋଡ଼ା,

କେରୋସିନ କାଚ ଜଳେ କ୍ଷୁଦ୍ର ମନ୍ଦିରରେ ଯାଇ । ୧୦ ।

 

ବଡ଼ଦେଉଳରେ ଆଜି ବିଦ୍ୟୁବତୀ ଦେଲେ ଖଞ୍ଜି,

ତହିଁ କିପାଁ ପାପ ହେବ କିଛି ଜଣା ଯାଉନାହିଁ । ୧୧ ।

କାଳ ଅନୁସାରେ ଭାଇ, କର କର୍ମ ମନଦେଇ ।

ପାଞ୍ଜି ଖୋଜି ବସିଲେତ ଉନ୍ନତି ପାଇବ ନାହିଁ । ୧୨ ।

 

ରାଗ ଆଶାବରୀ-ତାଳ ରୂପକ

ବିଧିର ଅବଧି ବିଧାନ-ବୃତ୍ତରେ

ଦେଖ ଏ ଦେଶ ଆଚାର ଯା ପାଦେ ଲୋକେ କରନ୍ତି ଯୁହାର

ଗଲା ଗୁଣ-କର୍ମଜନୀତି ହେଲା ଯୋ ନିଜ ଜାତିଟି ସାର । ୧ ।

 

ବର୍ଜ୍ଜି ବ୍ରହ୍ମଚର୍ଯ୍ୟ ନିୟମ ବାଳ ବୟସେ ବିଭା ଦେବାର । ୨ ।

ବିପ୍ରେ ତେଜି ବେଦ ବିଜ୍ଞାନ ଭିକ୍ଷାର୍ଥେ ବୁଲନ୍ତି ବାରଦ୍ୱାର । ୩ ।

 

ବିଧବାର ବିଭା ଦୂଷଣ ବୃଦ୍ଧ ବିବାହ ଦିଶେ ସୁନ୍ଦର । ୪ ।

ପୂଣ୍ୟ ସ୍ତ୍ରୀ ପଛେ କରେ ଶିକ୍ଷା ପୁରାଂଗନା ରହେ ନିରକ୍ଷର । ୫ ।

ଦେଶାଚାର ନାମେ କରନ୍ତି ଜାତିକୁଳେ ପାପ ବ୍ୟଭିଚାର । ୬ ।

 

ଖମାଚ-ନବପଞ୍ଚତାଳ

ଉତ୍କଳୀୟ ଭ୍ରାତୃଗଣ ନୁହଁ ଆଉ ମଉନ ।

କୂପମଣ୍ଡୁକ ସମାନ ନ କର ହେ ଗୁମାନ । ପଦ ।

 

ଭାଇ ଭାଇ ମଧ୍ୟେ ଭେଦ ଭାବଅଟେ ପରମାଦ ।

ଏକ ମନ ଏକ ପ୍ରାଣେ କର କାର୍ଯ୍ୟ ସାଧନ । ୧ ।

ଉପଇନ୍ଦ୍ର କବିସୂର୍ଯ୍ୟ କୃଷ୍ଣସିଂହ ମହାରାଜ ।

ପ୍ରାଣପଣେ କରିଥିଲେ ସାହିତ୍ୟର ସେବନ । ୨ ।

 

ମାତୃଭାଷାର ମମତା ଯେବେ ନ କରିବ ଚିନ୍ତା ।

ସଭ୍ୟ ଜାତିମାନଙ୍କରେ ହେବ ନାହିଁ ଗଣନ । ୩ ।

 

କୃଷି ଶିଳ୍ପ ବ୍ୟବସାୟ କରନାହିଁ କେବେ ହେୟ ।

ନାରୀଜାତି ନିର୍ଯ୍ୟାତନ ନୁହେଁ ଆର୍ଯ୍ୟ ବିଧାନ । ୪ ।

 

ବେଦ ସ୍ମୃତି ପୂର୍ବାଚାର ବୁଝ ତାର ସାରାସାର ।

ଶୀଘ୍ର ଛାଡ଼ ଅନ୍ଧ ପରଂପରା ରୀତି ପାଳନ । ୫ ।

 

ଝୁଲା-ଏକତାଳ

ଗଜରାଜି ଗମନୀ ଆଜ କିରେ-ବୃତ୍ତରେ

ପୂର୍ବାଚାର ବିଚାର କର ବାରେ । ପଦ ।

ଏପରି ଉଦାସୀନ ରହିବ କେତେଦିନ, ସବୁଠୁ ହୋଇ ସାନ

କାମରେ ନାମରେ ମାନରେ ଧନରେ । ୧ ।

ବ୍ରହ୍ମ ବୈଶ୍ୟ କ୍ଷତ୍ରିୟ ଶୁଦ୍ରଜାତି ନିଶ୍ଚୟ ହେଉଥିଲା ନିର୍ଣ୍ଣୟ

ଗୁଣରେ କର୍ମର ଜ୍ଞାନରେ ଧ୍ୟାନରେ । ୨ ।

 

ଆଜି ଅସଂଖ୍ୟ ଜାତି କୁଳାଚାରେ କୁରୀତି ହେତୁ ଆର୍ଯ୍ୟ ସନ୍ତତି

ନଗଣ୍ୟ ଜଘନ୍ୟ ଜଗତ ଚକ୍ଷୁରେ । ୩ ।

ଜାତିଭେଦ ବିଧାନ ଅଳୀକ ଅଭିମାନ କରେ ଦ୍ୱେଶପୋଷଣ

ଭାଇରେ ବନ୍ଧୁରେ ଜାତିରେ ଦେଶରେ । ୪ ।

 

ଶିକ୍ଷିତା ଲୀଳାବତୀ ଦୁର୍ଗାବତୀ ପ୍ରଭୃତି ପ୍ରକାଶ୍ୟେ ବିହରନ୍ତି

ଗୃହରେ ଦୁର୍ଗରେ ସଭାରେ ସମରେ । ୫ ।

ଅସୂର୍ଯ୍ୟଂ ପଣୀରୂପା ନ ଥିଲେ ତୁମ୍ଭ ଅପା, ରମଣି ଏବେକିପାଁ

ସର୍ବଦା ଆବଦ୍ଧା ଗୃହରେ କୋଣରେ । ୬ ।

 

ପରାଣରାନୁଯାୟୀ ପୂର୍ବରେ ଥିଲା ଭାଇ, ବିଧବାବିଭା ଏହି

ଭାରତେ ନିଶ୍ଚିତେ ସଯୁରେ ମର୍ତ୍ତ୍ୟରେ । ୭ ।

କିନ୍ତୁ ଏଦେଶେ ଅଦ୍ୟ ବାଳିକା ହୋଇ ବାଧ୍ୟ ଭୋଗେ ଚିରବୈଧବ୍ୟ

କାତରେ ଅସ୍ଥିରେ ଦୁଃଖରେ ଶୋକରେ । ୮ ।

 

ନ ପାଇଲେ ବନିତା ସୁଶିକ୍ଷା ସ୍ୱାଧୀନତା ଅଧ୍ୟାପନ କ୍ଷମତା

ଗୃହରେ ସ୍କୁଲରେ ନଗରେ ଦେଶରେ । ୯ ।

କଲେହେଁ ଆନ୍ଦୋଳନ ରାଜନୀତି ନିୟମ ହେବକି ଇଂରାଜିସମ

ଧୈର୍ଯ୍ୟରେ କାର୍ଯ୍ୟରେ ବଳରେ ବିଦ୍ୟାରେ । ୧୦ ।

 

ରାଗ କାମୋଦି-ଆଠତାଳି

ବନ୍ଧୁ କଲି କି ଦୁର୍ବିଚାରକୁରେ-ବୃତ୍ତରେ ।

ଭାଇ, କରୁଅଛି କି ଦୁର୍ନୀତି ହେ,

ପାପକୁ ତବ ନାହିଁ କି ଭୀତି ହେ । ପଦ ।

 

ବରଜି ପୂର୍ବାଚାର ବେଦାନ୍ତ ଧର୍ମସାର ହରାଇଲ ଭାରତସୁଖ୍ୟାତି

ନିର୍ମ୍ମମ ନିରୂପମ ସଚ୍ଚିଦାନନ୍ଦ ବ୍ରହ୍ମ ତେଜି ଭଜୁଛ ଦାରୁମୁରତି ହେ । ୧ ।

ଚତୁବର୍ଣ୍ଣ ବିଧାନ ନ ବୁଝି ତାର ମର୍ମ୍ମ କଲଟି ପୂର୍ବ ଜାତି ବିକୃତି ହେ,

ଗୁଣ, କର୍ମ ବିଚାର ଆଉ ନାହିଁ କାହାର, ଜନ୍ମମାତ୍ରେ ହୁଏ ଅଭିଜାତ ହେ । ୨ ।

 

ବ୍ରହ୍ମବାଦି ବ୍ରାହ୍ମଣ ଅଛନ୍ତି କେତେଜଣ ପାଇ ଶିକ୍ଷା ସଂଯମାଦି ଧୃତି ହେ,

ନାମଧାରୀ ବ୍ରାହ୍ମଣ ବୁଲନ୍ତି ପଣ ପଣ କରିବାକୁ ଯାଜନାଦି ବୃତ୍ତି ହେ । ୩ ।

ବିଦ୍ୟାଶିକ୍ଷା କାରଣ ବ୍ରହ୍ମଚର୍ଯ୍ୟ ନିୟମ ବର୍ଜ୍ଜି ବାଳକେ ବିଭାହୁଅନ୍ତି ହେ,

ବାଳିକାକୁ ସର୍ବଦା ବଳେ ରଖି ବିଧବା ବୃଦ୍ଧକୁ ବିଭାଦେବା କି ବିଧି ହେ । ୪ ।

 

ରାଗ ଭୈରବୀ-ଆଠତାଳି

କେଡ଼େ ମନ୍ଦପଣ ମୁଁ କଲି-ବୃତ୍ତରେ

କର ଦୂର ଏହି କୁରୀତି ଆହେ ଭାଇ,

ଅଟ ତୁମ୍ଭେ ପରା ଋଷି ସନ୍ତତି ।

ହେଜ ତୁମ୍ଭ ଆର୍ଯ୍ୟ ଜାତିର ସୁନୀତି

ଅଛି ପୁଣି ଯେଉଁ ଖ୍ୟାତି । ପଦ ।

 

ଗୁଣ ଜ୍ଞାନ ତେଜି ଜନ୍ମମାତ୍ରେ ଆଜି ହେଲସିନା ଦ୍ୱିଜଜାତି,

ନୁହେଁ ବାଳସୁତ ପଇତାରେ ପୂତ ହେଲେ ହେଁ ବିପ୍ରସନ୍ତତି । ୧ ।

 

ଶିକ୍ଷିଲେ ବେଦାନ୍ତ ହେବଟି ନିଷ୍ପାତ, ସୁତ୍ରରେ ବ୍ରହ୍ମହିଁ ନାହିଁ ।

କୁମୁଟି କାଳିଯାଂ ପଇତା ପକାନ୍ତି, ସେତ ବ୍ରାହ୍ମଣ ନୁହନ୍ତି । ୨ ।

 

ନୂଆ ବିପ୍ରଛୁଆ ନ ହେବାରୁ ଭିଆ ବେଦିରୁ ରୁଷି ଯାଆନ୍ତି ।

ପିତାସଙ୍ଗେ ଯାଇ ପ୍ରବୋଧି କହଇ ବିଭା ଦେବାକୁ ଝଟତି । ୩ ।

ବାରବର୍ଷ ଦିନୁଁ ବିଭାହୁଏ ସୁନୁ ବାଳାବତ୍ସା ବୃଥା କରି ।

ଶିକ୍ଷିବା କାଳରେ ଗୃହଜଞ୍ଜାଳରେ ପଡ଼ିଣ ହରାଏ ମତି । ୪ ।

 

ଝୁଲା-ଏକତାଳ

ଜୀବର ସଙ୍ଗୀ ଯିବକି ମୋ ମନରୁ-ବୃତ୍ତରେ

ଛାଡ଼ହେ ଏହି ଅନ୍ଧ ପରଂପରାକୁ ।

ଦେଶାଚାର କୁରୀତି ଦେଇ ନ ପାରେ ମୁକ୍ତି,

କୁଳାଚାର କଳଙ୍କ ନିଏ ନାହିଁ ସ୍ୱର୍ଗକୁ । ୧ ।

ଘରକେ ଜାତିଭେଦ ଅଟେ ବଡ଼ପ୍ରମାଦ

ଭାଇ ଭାଇ ମଧ୍ୟରେ ନାଶିଲା ଏକତାକୁ । ୨ ।

 

ସାତବର୍ଷର ସୁତ ବ୍ରତମାତ୍ରେ ନିଷ୍ପାତ

ବେଦିରୁ ଋଷିଯାଏ ବିବାହ କରିବାକୁ । ୩ ।

 

ବାଳିକା ହୋଇ ବାଧ୍ୟ ଭୋଗେ ଚିର ବୈଧବ୍ୟ

କାଳେ ପବିତ୍ର କୁଳ କଳଙ୍କ କରିବାକୁ । ୪ ।

 

ଧନ ଲୋଭରେ ପିତା ବିକେ ଶିଶୁ ଦୁହିତା

ବିବାହ ଛଳନାରେ ବୟୋଧିକ ବୃଦ୍ଧକୁ । ୫ ।

ବେଦାନ୍ତ କାବ୍ୟ ଶାସ୍ତ୍ର ପଢ଼ିବା ଥାଉ

ଦୂର ନାରିମାନଙ୍କୁ ମନା ଅକ୍ଷର ଶିକ୍ଷିବାକୁ । ୬ ।

 

ରାଗ ଝଷ୍ଟ୍ରେଟି-ତାଳ ଆଦି

କାହିଁକି ପ୍ରଭୁ ମତେ କରୁଛ ମାୟା-ବୃତ୍ତରେ ।

କାହିଁକି ଭାଇମାନେ କର ଅନୀତି,

ନୁହକି ତୁମ୍ଭେ ଆର୍ଯ୍ୟ ସନ୍ତତି । ପଦ ।

ପୂର୍ବ ଗୌରବ ମନରେ ଭାବି,

କର ବର୍ଜ୍ଜନ କୁତ୍ସିତ ରୀତି । ୧ ।

ଜାତି ପ୍ରଭେଦ କଲା ଉଚ୍ଛେଦ,

ଭାଇମଧ୍ୟରେ ଏକତା ଭିତ୍ତି । ୨ ।

 

ବିଧବା ବାଳା ବିରହଜ୍ୱାଳା

ସହି ନ ପାରି ହୁଏ ଅସତୀ । ୩ ।

ବାଳବିବାହ କି ଅନ୍ତରାୟ !

ବିଦ୍ୟା ଶିକ୍ଷାର ସାଧଇ କ୍ଷତି । ୪ ।

କର ସଂସ୍କାର ଏ ଦୁଷ୍ଟାଚାର

ଯେବେ ଭାବୁଛ ଜାତି ଉନ୍ନତି । ୫ ।

 

ତାଳ-ଝୁଲା

ମହିମଣ୍ଡନା ତୁ ନ ମାର ମାରରେ-ବୃତ୍ତରେ

ଉତ୍କଳୀୟ ଭାଇ, ବିଚାର କର ହେ । ପଦ ।

ଶ୍ରୁତି ସ୍ମୃତି ପଦ୍ଧତି, ପୂର୍ବର ରୀତି ନୀତି ବୁଝି

ହେଜ ତାର ସାରାସାର ହେ । ୧ ।

ପୂର୍ବ ଜାତି ବରଜି ଅସଂଖ୍ୟ ଜାତି ସର୍ଜ୍ଜି

କଲଟି ଜାତୀୟତା ଛାରଖାର ହେ । ୨ ।

ବରଜି ବ୍ରହ୍ମଚର୍ଯ୍ୟ ଯେ ରୀତି ଥିଲା ଅର୍ଯ୍ୟ

ପୁରୁଷ ହୁଏ ବିଭା ବାରମ୍ବାର ହେ । ୩ ।

ବାଳ କନ୍ୟା ବିଧବା ନ ହୁଏ ଆଉ

ବିଭା ବିରହେ ଝୁରୁଥାଏ ନିରନ୍ତର ହେ । ୪ ।

ଆମିଷ ଭୁଞ୍ଜେ ଯୁବା କରେ ବାଳବିଧବା

ହବିଷ୍ୟ ଏକାଦଶୀ ନିରାହାର ହେ । ୫ ।

 

ନାଟକ କାବ୍ୟ ଶାସ୍ତ୍ର ଶିକ୍ଷିବା ଥାଉ ଦୂର

ନାରିମାନ ରହନ୍ତି ନିରକ୍ଷର ହେ । ୬ ।

ରାଗ ଖମାଚ-ଝୁଲା

କାହିଁ ଅଛି ଶ୍ରୀହରି-ବୃତ୍ତରେ

ଆହା ଏକି ଅନାର୍ଯ୍ୟ ରୀତି ହେ ଆର୍ଯ୍ୟ

ହେ ଭାଇ ଉତ୍କଳୀୟ,

ତେଜ ଏହି କୁତ୍ସିତ କାର୍ଯ୍ୟ । ପଦ ।

ଜାତି ବୃତ୍ତରେ ରାଜନୀତିରେ, ବିଦ୍ୟାଶିକ୍ଷାରେ ରାଜ କାର୍ଯ୍ୟରେ

କାରିଗରି କୌଶଳରେ କି ଅବା ବାଣିଜ୍ୟରେ

ପ୍ରତିବାସୀ ତୁଲରେ ଆଜିହେଲ ହୀନ ବୀର୍ଯ୍ୟ । ୧ ।

ସାମାଜିକ ନୀଚ ନିୟମ ପାଳି ହେଲେ ନିଶ୍ଚେ ଅଧମ,

ପୂର୍ବ ଖ୍ୟାତି କଲ କ୍ଷୟ । ୨ ।

ଘରେ ଘରେ ଜାତିଭେଦ କରି ଐକ୍ୟ-ପଥ ରୁଦ୍ଧ

ଘଟାଇଲା ଅନ୍ତରାୟ । ୩ ।

ତେଜ ଏବେ ଜାତି ଅଭିମାନ, କର କୁସଂସ୍କାର ବରଜନ

ବିବିଧ ବିଦ୍ୟାରେ ହୋଇଣ ନିପୁଣ

ଦେଶେ ଶତଶିକ୍ଷା କର ବିନିୟମ । ୪ ।

 

ରାଗ ଦ୍ରାବିଡ଼ୀ-ତାଳ ଆଡ଼ତାଳୀ

(ଏପାରିରେ ସହିରେ ମହିରେ-ବୃତ୍ତରେ ।)

ଏପରିହେ, ଭାଇହେ, କେବେହେଁ, ପୂର୍ବରେ ଗୁଣା ନଥିଲା । ପଦ ।

 

କନ୍ୟା ଛବତ୍ସର ନବବର୍ଷ ବର ବିଭାଦେବାର,

କି ଘୋର ପାପର ବ୍ୟାପାର । ୧ ।

ବ୍ରାହ୍ମଣସୁତ ହେବାମାତ୍ରେ ବ୍ରତ ହୁଏ ନିଷ୍ଣାତ,

ନୁହେତ ବେଦାନ୍ତ ଶିକ୍ଷିତ । ୨ ।

 

କୁଳୀନା ରମଣୀ ହୁଅଇ ରାନ୍ଧୁଣୀ,

ବିଦ୍ୟା ନ ଜାଣି ନଶୁଣି, ଅଜ୍ଞାନୀ, ମଉନୀ । ୩ ।

ବିଧବା ଯୁବତୀ ବିବାହ ନୁହନ୍ତି,

ହୋଇ ଅସତୀ ଭୋଗନ୍ତି ସମ୍ପ୍ରତ୍ତି ବିପତ୍ତି । ୪ ।

ଏହି ଅତ୍ୟାଚାର ଶୀଘ୍ର କର ଦୂର,

ଯଦି ତୁମ୍ଭର ଜାତିର ଆଦର ବିଚାର । ୫ ।

 

ତାଳ-ରୂପକ

ଭ୍ରାତୃମଣ୍ଡଳି, ନୁହେଁ ସମ୍ଭାଳି ଜାତିର ଅର୍ଦଳି । ପଦ ।

ଜାତି ପ୍ରଭେଦ ଭ୍ରାତୃ-ବିଚ୍ଛେଦ କଲା ଉଚ୍ଛେଦ ଶାସ୍ତ୍ରୀୟ ପ୍ରଣାଳୀ । ୧ ।

ଭାରତେ ନିତି ଅସଙ୍ଖ୍ୟ ଜାତି କରୁଟିଥାନ୍ତି ପରମ୍ପରା କଳି । ୨ ।

ଏକତାନାଶି ବିଦ୍ୱେଷପୋଷି ଭାରତବାସୀ ହେଲେନି କଙ୍ଗାଳି । ୩ ।

ଜାତି ବିନାଶି ଜାପାନ ବାସୀ ହେଲେ ଯଶୀସ୍ୱୀ । ୪ ।

 

ଯେବେ ରଖିବ ବିଭିନ୍ନଭାବ, ନିଶ୍ଚୟ ହେବନାହିଁ ତାଙ୍କଭଳି । ୫ ।

ତେଜି ବାଣିଜ୍ୟ ଶିଳ୍ପିକକାର୍ଯ୍ୟ ଭାରତରାଜ୍ୟ ହେଲା ନିସଙ୍ଖାଳୀ । ୬ ।

ଜାତି ବହୁଳ ଦେଲାଟି ମୂଳ-ପବିତ୍ରକୁଳ-ଶୁକ୍ଳିମାରେ କାଳି । ୭ ।

ଜାତି ତେଜିଲେ ବିଦ । ଶିକ୍ଷିଲେ ଉନ୍ନତି ହେଲେ ହେବ, ନୁହଁ ଭାଳି । ୮ ।

 

ରାଗ ଭୈରବୀ-ତାଳ ଝୁଲା

(ହୋଇଥାରେ ବେଶ କୁଞ୍ଜକୁ ଯିବୁ ପରା-ବୃତ୍ତରେ ।)

 

ଭୁଲ ନାହିଁ ଭାଇ, ଆଉ ଏ କୁଳାଚାରେ,

ଭଲରୂପେ ବିଚାର ସୁଚିତ୍ତରେ ବାରେ । ପଦ ।

 

ଛାର କୁଳ ନୁହେଁ କେବେ ବଳିଆର କାଳ ଆଗେ,

ଦେଖ ପୁରାକାଳ କୁଳ-ପୁରାଣ ଥରେ । ୧ ।

ପୂର୍ବେ ସର୍ବେ ହେଲେ ଏକମାତ୍ର କୁଳରୁତ ଜାତ,

ଜନ୍ମି ମନୁମାହାତ୍ମାଙ୍କ ଏକ ଉଦରେ । ୨ ।

 

ଜ୍ଞାନ, ଧ୍ୟାନ, ଧର୍ମ, କର୍ମ-ଭେଦ ହେତୁ ଉଚ୍ଚ ନୀଚ

ବିବେଚିତ ହେଉଥିଲା ଆର୍ଯ୍ୟଜାତିରେ । ୩ ।

ଆକସ୍ମିକ ଜନ୍ମଗତ ଭେଦ ଘେନି ଜାତିବାଦ

ନଥିଲାତ, ଏକ ଗୋତ୍ର ବ୍ରାହ୍ମଣ ଘରେ । ୪ ।

 

ଆଜି ତେଜି ବିଦ୍ୟା ଶିକ୍ଷା, ବ୍ରାହ୍ମଣେ ମାଗନ୍ତି ଭିକ୍ଷା ।

ବାଳଦିନୁ ବୁଲି ବୁଲି ଇତର ଦ୍ୱାରେ । ୫ ।

ନନ୍ଦ, ସାନ୍ତ, ମିଶ୍ର ପାତ୍ର ଆଜି କେତେ ପରସ୍ପର ।

ଦ୍ୱନ୍ଦ କରୁଛନ୍ତି ଜାତି ଅଭିମାନରେ । ୬ ।

 

ଝୁଲ ଏକତାଳୀ

ଆସ ଆସ ପାଶକୁ ବର ବରନା-ବୃତ୍ତରେ ।

 

ଛାଡ଼ ଛାଡ଼ ଏ ଦୁଷ୍ଟ ଦେଶ ଆଚାର,

ପୂର୍ବାଚାର କର ବିଚାର । ପଦ ।

 

ଶାସ୍ତ୍ର ବରଜନ ଅଟେ ଅଧରମ, ନୀତି ନିପୁଣ ବୁଧ ବଚନ

ମନରେ ତୁମ୍ଭର ହେଜ ସବୁର । ୧ ।

ବିପ୍ର ଦଶବିଧ ସ୍ମୃତିରେ ପ୍ରସିଦ୍ଧ, ପଞ୍ଚ ଦ୍ରାବିଡ଼ ପଞ୍ଚ ଗଉଡ଼

ଅଛିଟି କଥିତ ଆର୍ଯ୍ୟ ଜାତିର । ୨ ।

 

ଉତ୍କଳେ ବିଭିନ୍ନ ଜାତିରେ ବିଚ୍ଛିନ୍ନ, ହିଂସା ପୋଷଣ କରନ୍ତି ପୁଣ;

ନାହିଁଟି ତାଙ୍କର ଐକ୍ୟ ବିଚାର । ୩ ।

ଅନ୍ୟାନ୍ୟ ଗଉଡ଼ ନତୁବା ଦ୍ରାବିଡ଼ ମଧ୍ୟରେ ବଡ଼ ସାନ ଯେ

ପ୍ରଭେଦ ନଥାଏ ଜାଣ ନିକର । ୪ ।

(ବାଡ଼ = ଭେଦ ଜ୍ଞାନ, ଯଥା ଦଳ, ପୁଞ୍ଜା, ବାଡ଼ ଇତ୍ୟାଦି ।)

 

ରାଗ ଝଞ୍ଜଟ-ତାଳ ଝୁଲା

(ଗୁମାନ କରି ଗୋରି ରହିପାରିବୁ କିରେ-ବୃତ୍ତରେ)

 

ବିଚାର କର ଭାଇ, ତୁମ୍ଭ ଚିତ୍ତରେ ବାରେ,

ଥିଲା ଯେ ନୀତି ନିୟମ ପୂର୍ବକାଳରେ । ପଦ ।

 

ବ୍ରାହ୍ମଣେ ଶିକ୍ଷା ଦିଅନ୍ତି ପୁଣି ଦୀକ୍ଷା, ଭିକ୍ଷାପାଇ ଭକ୍ତିଭାବେ ପ୍ରତି ଗୃହରେ । ୧ ।

ବିନୟୀ ହୋଇ ମାଗନ୍ତି କେବେ ନାହିଁ ଧନାଶାରେ, ମୁଷ୍ଟି ଭିକ୍ଷା ଅନ୍ୟ ଗୃହରେ । ୨ ।

ଯାଚଜ୍ଞାକରି ଭିକ୍ଷୁ ବା ବ୍ରହ୍ମଚାରୀ ଜୀବ ମାତ୍ର ରକ୍ଷା କରେ ବିନା ଲୋଭରେ । ୩ ।

କୁଟୁମ୍ବୀ ଗୃହୀ ଭିକ୍ଷାର୍ଥେ ବୁଲେନାହିଁ ଲୋଭ ପରବଶ ହୋଇ ବାରଦ୍ୱାରରେ । ୪ ।

ଭିକ୍ଷାର ମର୍ମ୍ମ ନବୁଝି ଅଧରମ କରନାହିଁ କେବେ ଭାଇ ପାପ ଆଶାରେ । ୫ ।

 

ଝୁଲା-ଏକତାଳ

ଡର ନାହିଁ କିହେ ପର ତରୁଣୀ ହରଣୁ-ବୃତ୍ତରେ ।

ଦେଖ ଭାଇ, ଆଜି ବ୍ରାହ୍ମଣମାନଙ୍କ ରୀତି,

ଏମାନେ ଅଟନ୍ତି ପରା ଆର୍ଯ୍ୟ ଋଷି ମୁନିମାନଙ୍କ ସନ୍ତତି । ପଦ ।

 

ଶାସନୀ ବ୍ରାହ୍ମଣ କରନ୍ତି ଗୁମାନ ସାମନ୍ତ ଶ୍ରୋତ୍ରିୟ ବୋଲି,

କିନ୍ତୁ ଶୁଣ୍ଢୀଦ୍ୱାରେ ପୁଣି ବେଶ୍ୟାଘରେ ଦାନ ଘେନୁଥାନ୍ତି ବୁଲି । ୧ ।

କାହିଁ ପ୍ରେତପଣାଂ ହେବାମାତ୍ରେ ଶୁଣା ଏମାନେ ଯାଆନ୍ତି ତହିଁ,

ଖାଇ ପେଟଭରି କଳିକଯ୍ୟା କରି ନିଅନ୍ତି ସାମଗ୍ରୀ ବହି । ୨ ।

 

ବିପ୍ର ବେଦାଭ୍ୟାସ ଛାଡ଼ି ହୁଏ ବଶ ଶୂଦ୍ର ସେବାରେ ନିରତ,

ଲୋଭପରବଶ ହେବାରୁ ବିଶେଷ କରଇ କର୍ମ୍ମ ଦୂଷିତ । ୩ ।

କେତେଜଣ ପୁଣି ସାମନ୍ତ ଅଗ୍ରଣୀ ହେଲେହେଁ ଗଣ୍ଡ ମୂରୁଖ,

ଅନ୍ୟ ଦ୍ୱାରେ ଯାଇ ନ ଖାଆନ୍ତି ବୋଲି କହୁଥାନ୍ତି ଭାରି ଟେକ । ୪ ।

 

କୃଷି କାରବାର କରି କେତେ ବିପ୍ର ଅର୍ଜ୍ଜିବାରୁ ସଦ୍‌ବତ୍ତ,

ଦୁଷ୍ଟ ଅଳସୁଆ ଭିକାରୀ ଦାନୁଆ କରନ୍ତି ତାକୁ ଘୃଣିତ । ୫ ।

 

ରାଗ ମୁଖାରୀ-ଆଠତାଳୀ

ମୁଁ ହାରିଲି ହେଉ ଏତିକି ଗୋ-ବୃତ୍ତରେ ।

ଧିକ ସେ ଶାସନୀ ବ୍ରାହ୍ମଣୀଙ୍କୁ, ଧିକ ତାଙ୍କ ଜାତ୍ୟାଭିମାନକୁ,

ଧିକ ପୁଣି ହେଉ ତାଙ୍କ ଭିକମଗା ଦାନ, ଘେନିବାର ଗୁମାନକୁ ।

ଏମାନଙ୍କ ମଧ୍ୟରେ ନିରକ୍ଷର ଥାନ୍ତି ପୁଣି କେତେ ନିଶାଣିଦାର,

ଏମାନେ ନିଜକୁ ବ୍ରାହ୍ମଣ ବୋଲିଣ କହୁଥାନ୍ତି ଟେକ ବଚନକୁ । ୧ ।

 

‘‘ଉତ୍ତମା ଭିକ୍ଷୁକା ବିପ୍ରା’’ ଦୋହାଇ ଦେଇ ବାର ଦ୍ୱାର ବୁଲନ୍ତି ଯାଇ,

ଭାରି ପରିବାର ଘରେ ଜଗି ଥାନ୍ତି ଚାହିଁ ନୀଚବୃତ୍ତି, ଅର୍ଜ୍ଜନକୁ । ୨ ।

କେତେ ଜଣ ଅବା ପାଞ୍ଜିକି ଖୋଜି ଯୋଗ ଯାତ୍ରାତକ ନିଅନ୍ତି ବୁଝି,

ଘରେ ଘରେ ବୁଲୁଥାନ୍ତି ଭାଟପରି କହି ଦିନ ବାର ବିଧାନକୁ । ୩ ।

 

ସଙ୍କଳପ ବିଧି କରିବା କେହି, ଶୂଦ୍ରଘରେ କର୍ମ କରନ୍ତି ଯାଇ,

ଚାଉଳ ବୁଜୁଳା ନେଉଥାନ୍ତି ବହି ଦେଇକରି ଆଶୀର୍ବଚନକୁ । ୪ ।

ଓଷା, ବ୍ରତ, ବିବାହ ଶୁଦ୍ଧ ଶ୍ରାଦ୍ଧ, ପାଠକରି ଶୁଆ ପଠନେ ସାଧ୍ୟ,

କାଖେ ଜାକି ପୋଥିପଢ଼ି ବିପ୍ର ଘେନି ଯାଉଥାନ୍ତି କରି ଯଜନକୁ । ୫ ।

 

କେତେ ସାମନ୍ତ ଶ୍ରୋତ୍ରିୟ ପଣ୍ଡିତ, କିନ୍ତୁ କୁସଂସ୍କାର-କର୍ମେ ଜଡ଼ିତ,

ଗଣ୍ଡରେ କୁଣ୍ଡଳ ଦୋଳାଇ କରନ୍ତି ଶ୍ରୁଭି ସ୍ମୃତି ଅନୁଶୀଳନକୁ । ୬ ।

ବାପା କୂପ ଖୋଳାଇ ଥିଲେ ବୋଲି ପିଇବା ତହୁଁ ପଙ୍କ ଗୋଳି,

ଏହି ରୀତି ମୂର୍ଖ ପୁତ୍ର ହୁଏ ପାତ୍ର ବେଦି ମଣ୍ଡପରେ ଆସନକୁ । ୭ ।

 

ରାଗ-କଲ୍ୟାଣ

ମାତି ଉଠ ଜାତିକୁ ନଚାହିଁ ହେ ପ୍ରିୟ ଭାଇ । ପଦ ।

ଥିବ ଯେବେ ଅଭିମାନ            ଜନମିବ ଦିବ୍ୟ ଜ୍ଞାନ

ପୃଷ୍ଠେ କରିବେ ଆହ୍ୱାନ            କୁସଂସ୍କାରେ ଦେବେ ଧ୍ୟାନ;

ଏହା ବିନା ଅନ୍ୟ ଗତି ନାହିଁ ହେ । ୧ ।

 

କରିଦେବା ପରିଷ୍କାର            ଏଡ଼ି ଜାତୀୟ ବିକାର,

ହେଲେ ହେଉ ଏକାକାର            କାହିଁ ପାଇଁ ଭୟ ଆଉ,

ରଣେ ପଶ ଗୁରୁ ଧ୍ୟାୟି ହେ । ୨ ।

 

ରକତେ ନାହିଁ ପ୍ରଭେଦ            କି କହୁଛି ତୁମ୍ଭ ବେଦ,

ବର୍ଣ୍ଣରେ ମଧ୍ୟ ଅଭେଦ            କିପାଁ ଜନମାଅ ଖେଦ;

ଚାଲ ଜାତୀୟ ସଙ୍ଗୀତ ଗାଇ ହେ । ୩ ।

 

ଜାତୀୟ ପ୍ରେମ ହିଁ ସାର            ପିପିଲୀକୁ ଶିକ୍ଷା କର;

ଜାତି ନିଷ୍ଠା ମର୍କଟର            ଜାତି ଘୃଣା ପରିହର;

ସାହା ହେବେ ନିଶ୍ଚେ ରମାସାଇଁ । ୪ ।

      ଶ୍ରୀବାଞ୍ଛାନିଧି କବିଭୂଷଣ ।

 

ରାଗ ସାବେରି-ଆଠତାଳ

ପ୍ରାଣବନ୍ଧୁରେ କୋକନଦ ଅମ୍ବୁଜ ଅଧରୁ ଦିଅ ମଧୁ-ବୃତ୍ତରେ

 

କୃପାସିନ୍ଧୁ ହେ,

ଜାତି ଅଭିମାନୀ ନରେ ଦିଅ କୃପା ବିନ୍ଦୁ । ଘୋଷା ।

ପୁରାକାଳ ଚତୁଷ୍ଠୟ କଲା ଆଜି ନୀତି ବିପର୍ଯ୍ୟୟ,

ହେଲା ଏକତାର ଅନ୍ତରାୟ; ରକ୍ଷାକର ପ୍ରଭୁ, ଜାତି-

ବିଦ୍ୱେଷ ଦ୍ୱନ୍ଦୁ ହେ । ୧ ।

ମନେ ରଖି ପ୍ରଭେଦ ଧାରଣା କଲେ ଜାତି ଅସଂଖ୍ୟ ସୃଜନା,

କରି ନିରତେ ବୈର କାମନା, ହରାଇଲେ ଜାତୀୟତା

ଭାରତେ ହିନ୍ଦୁ ହେ । ୨ ।

ନୀତି ନିଷ୍ଠା ନିୟମାନୁସାରେ, ଗୁଣ କର୍ମ ଧର୍ମ ବିଚାରରେ,

ଅଭିଜାତ ହେଲେ ସମାଜରେ, ସର୍ବେ ହେବେ ଏକତାର

ସୂତ୍ରରେ ବନ୍ଧୁ ହେ । ୩ ।

ହେଜି ଆର୍ଯ୍ୟ ଜାତି-ବେଦ ମର୍ମୁ ତେଜି ଦେଲେ ଏହି ଭେଦ

କର୍ମ, ନାଗି ଜନ୍ମଗତ ଜାତି-ତମ, ଉଦେ ହେବ ଭାରତରେ

ଉନ୍ନତି-ଇନ୍ଦୁ ହେ । ୪ ।

 

ରାଗ କାମୋଦି ଆଠତାଳ

କାଳିନ୍ଦୀ କୁଳକୁ ମୋ ସଂଖାଳି ନଯାରେ-ବୃତ୍ତରେ ।

ଛାଡ଼ ଭାଇ, ଏହି ଅଭିଜାତ ରୀତି ହେ । ପଦ ।

 

ନିଜ ପୁରୁଷାର୍ଥ ଛାଡ଼ି      ପୂର୍ବ ବଂଶ ଯଶ ବାଢ଼ି

ବସିଲେ ପାଇବନାହିଁ ତ ଉନ୍ନତି ହେ । ୧ ।

ନିଜ ଶକ୍ତି ପରାକ୍ରମ      ସ୍ୱନାମ ସିନା ଉତ୍ତମ,

ପୂର୍ବ ବଂଶ ଟେକ ଅଧମ ନିହାତି ହେ । ୨ ।

 

କେଉଁ କାଳରେ ଶାସନ ପାଇ କେଉଁ ମହାଜନ

ରଖି ଯାଇଥିଲେ ବୋଲି ଭୂସମ୍ପତ୍ତି ହେ । ୩ ।

ଯଦି ବିପ୍ର ନାମଧାରୀ ମୂଖ ଦାନୁଆ ଭିକାରୀ ।

କହେ ନିଜ ଟେକ ଫୁଲାଇଣ ଛାତି ହେ । ୪ ।

 

କିହେତୁ ବ୍ରାହ୍ମଣଜାତି କଶ୍ୟପଋଷି ସନ୍ତତି ।

ହେବେନାହିଁ ତାଙ୍କପରି ମହାଯତି ହେ । ୫ ।

ନିଜର ଗୁଣ ଗାରିମା ଦେଖାଅ ଥିଲେ ମହିମା

ତେବେ ରଖି ଯିବ ପୂର୍ବ ବଂଶଖ୍ୟାତି ହେ । ୬ ।

 

ରାଗ କାମୋଦି ଆଦିତାଳ

ବାନ୍ଧବି ମାନ କାହିଁକି ତୋର ରେ-ବୃତ୍ତରେ

 

କାହିଁକି ଭାଇ, ଭାବନା ନାହିଁ ହେ

ତୁମ୍ଭ ଅନ୍ତଃକରଣରେ । ଘୋଷା ।

ଘରେ ଘରେ ଜାତିଭେଦ ଅଟଇ ବଡ଼ ପ୍ରମାଦ

ଜାତୀୟତା ନାଶ କରଇ;

ବିଚ୍ଛିନ୍ନତା କରି ପୁଷ୍ଟ ଏକତାକୁ କରେ ନଷ୍ଟ

କରି ଦ୍ୱେଶ ହିଂସା ସୃଷ୍ଟ ଉନ୍ନତିକି ବିନାଶଇ । ୧ ।

ସ୍ମୃତି ନିୟମାନୁଯାୟୀ ବିପ୍ର ଦଶବିଧ ଭାଇ,

ଶାଖା ଶ୍ରେଣୀ ଭେଦତ ନାହିଁ;

ଆଜି ସାମନ୍ତ, ଦାନୁଆଁ, ସାଉ, ସାରୁଆ, ହଳୁଆ, ପାଢ଼ିଆ

ପୁଣି ଝାଡ଼ୁଆ ଜାତି ଅଡ଼ୁଆ କରଇ । ୨ ।

 

ଜଳ ବାୟୁ ପ୍ରଭେଦରେ ଦଶବିଧ

ବିଦେଶରେ ସ୍ୱଭାବରେ ସୃଷ୍ଟ ହୁଅଇ;

ଖାଦ୍ୟପାନର ପ୍ରଭେଦ ଦୂର ଯାତ୍ରାର ଆପଦ

ପରିଣୟାଦି ସମ୍ବନ୍ଧ ସିନା ଅସାଧ୍ୟ କରଇ । ୩ ।

କିନ୍ତୁ ଉତ୍କଳୀ ମଧ୍ୟରେ ଖାଦ୍ୟ ବା

ରୀତି ନୀତିରେ କିଛି ମାତ୍ର ପ୍ରଭେଦ ନାହିଁ,

ସେମାନଙ୍କ ବନ୍ଧୁ ଭାବ ପରସ୍ପର ସଦଭାବ

ଜାତୀୟତା ବଢ଼ାଇବ ଏଥିରେ ସନ୍ଦେହ ନାହିଁ । ୪ ।

 

କଲେ ଜାତି ବିନାଶନ ହେବ ଏକତା ବର୍ଦ୍ଧନ

ମିଳନର ମାର୍ଗ ଫିଟାଇ,

ପୂର୍ବ ଗୌରବ ତପନ ଭାରତ ଗଗନେ

ପୂଣ ଉଦୟ ହେବଟି ଜାଣ ଶ୍ରୀବତ୍ସ ଏହା ଭାବଇ । ୫ ।

 

ରାଗିଣୀ ଛାୟା ନାଟ୍‌ ତାଳ କଓ୍ୟାଲୀ

ହେବା ଏକଜାତି ଆସହେ ଦ୍ୱିଜାତି କ୍ଷତ୍ରୀ ବଶ୍ୟ ଶୂଦ୍ର ସକଳ,

ଉପଶାଖାଭେଦ ସବୁକରି ରଦ ଏକତାରେ ରଖ ନିର୍ଭର । ପଦ ।

 

କରିଣ ବାରଣ ମହତ୍‌ ସାରିଣ ବସିଛ ଧରି ଏଶରୀର କେବଳ ।

ରକ୍ଷଣ ଶୀଳତା ଅତି ନିର୍ମମତା ଛାଡ଼ ହେ ଛାଡ଼ହେ ସତ୍ୱର । ୧ ।

କରି ଅହଙ୍କାର କହୁଛ ମାତର ‘‘ବ୍ରହ୍ମଂ ଜାନାତି ବ୍ରାହ୍ମଣ’’ ନିରନ୍ତର,

କାହିଁ ସେ ବ୍ରହ୍ମତ୍ୱ, ନାହିଁ ମନୁଷ୍ୟତ୍ୱ ରଖିଛ ମୂର୍ଖତା କେବଳ । ୨ ।

 

କ୍ଷତ୍ରୀ ବୈଶ୍ୟ ଶୂଦ୍ରେ ଜାଣିଛନ୍ତି ହୃଦେ ଅଛନ୍ତି ଜାଗ୍ରତ ବ୍ରହ୍ମ ଚରାଚର;

ବ୍ରହ୍ମେ କରି ସାକ୍ଷୀ ନପାରିବ ଠକି ବ୍ରାହ୍ମଣ ହେଲେଣି ସକଳ । ୩ ।

ଛାଡ଼ ହେ ଅନ୍ଧତା ଛାଡ଼ହେ ଜଡ଼ତା ଛାଡ଼ହେ ବାରଣ ଜାତିର ଉପର;

ଗଲା ଅନ୍ଧ ଯୁଗ ହେଲା କର୍ମ ଯୁଗ ଜପହେ କର୍ମର ମନ୍ତର । ୪ ।

 

କରନାହିଁ ଟାଣ ଜାତି ବଡ଼ ସାନ ଏକଜାତି ଆମ୍ଭେ ସର୍ବେପଣକର ।

ପ୍ରଭୁ କୃପା ବଳେ ମିଳିଣ ସକଳେ ଉତ୍କଳ କଷଣ ସଂହର । ୫ ।

ଶ୍ରୀ ଜଗନ୍ନାଥ ପଣ୍ଡା ।

 

ରାଗ କାମୋଦି-ଏକତାଳ

ବାନ୍ଧବୀ କିସ ଭାବି-ବୃତ୍ତରେ

 

କଢ଼ାଇ ଦିଅ ଭାଇ, ପିତଳ ଖଡ଼ୁ ବାହି,

ରମଣି ରତ୍ନ ତୁଲ୍ୟ ନୁହଁଇ ହେ । ପଦ ।

 

ଘୋଡ଼ାଇ ମଣି ବନ୍ଧ      ଦିଶଇ ଅପସନ୍ଦ,

ଦୂରରୁ କେଡ଼େ ଗନ୍ଧ କରଇ ହେ ।

ହେଲେହେଁ ବଡ଼ ଭାରି ଅଭ୍ୟାସୁ ନୁହେଁ ବାରି,

କିନ୍ତୁ ହାତଟି ସରି ଯାଅଇ ହେ । ୧ ।

 

ତାର ଦାଢ଼ କତୁରି ପଖାରେ କରି ଘାରି

କାଖପୁଅ ବଇରି ହୁଅଇ ହେ ।

ତାର ତଳ ସାପୁଆ କୋମଳ ମାଉଁସିଆ

ହାତଯାକ ଘାଉଆ କରଇ ହେ । ୨ ।

 

ତହିଁ ଉତ୍ତାରୁ ମାଠ ତା ତଳେ ନାହିଁ ବାଟ

ହାତକୁ ଭିଡ଼ି କଷ୍ଟ ଦିଅଇ ହେ ।

ମାଠ ତଳେ ଚନ୍ଦେଇ ଦେଲା ମାତ୍ରେ ପିନ୍ଧେଇ

ଅବଳାକୁ କନ୍ଦେଇ ଦିଅଇ ହେ । ୩ ।

 

ସଭା ଶେଷର ଦାନ୍ତି କଚିଟି ଦେଇ ମନ୍ଥି

ତହିଁରେ କେତେ ଗ୍ରନ୍ଥି କରଇ ହେ ।

ଭାଷେ ପଣ୍ଡା ଶ୍ରୀବତ୍ସ ପିନ୍ଧିଲେ ସରୁ କାଚ

ହାତଟି କେଡ଼େ ସ୍ୱଚ୍ଛ ଦିଶଇ ହେ । ୪ ।

 

ମୂଲତାନ୍‌-ଆଡ଼ାଠେକ

ଉତ୍କଳ ରମଣି ରତ୍ନ      ଦିଶଇ କି ଅସୁନ୍ଦରୀ

ବେଶ ଭୂଷାରେ ତାର ଦେହ ଅଛି ଭରି । ପଦ ।

 

ଶୂରୀ ଓଜନେ ଶାଢ଼ୀ ତା, ଦେହରେ ଅଛି ଭିଡ଼ି ।

ଦେହ ତାର ହେବ ନାହିଁ ସେହି ପିନ୍ଧା ଶାଢ଼ୀ ପରି । ୧ ।

ପୁଣି ମହଣେ ଓଜନେ ଖଡ଼ୁ ବଳା ଆଦି ପଣେ

ଗୋଡ଼ ଠାରୁ ବେକ ଯାଏ ଦେଇଛି ଭରତି କରି । ୨ ।

 

ଯେସନ ରାଗିବ ଅବଳା କାଟିବ ସ୍ୱାମୀର ଗଳା ।

ଖଣ୍ଡା ବର୍ଚ୍ଛା ପରି ଯେତେ ଗହଣା ସେ ଅଛି ଧରି । ୩ ।

ହୃଦେ ବହି ଦୟା-ନୀତି ଏ ସବୁ କଦର୍ଯ୍ୟ ରୀତି ।

ସଂସ୍କାର କରହେ ଭାଇ, ମହାଧନ୍ୟବାଦେ ବରି । ୪ ।

ଶ୍ରୀ ଜଗନ୍ନାଥ ପଣ୍ଡା ।

 

ରାଗ ଖରହର ପ୍ରିୟ ତାଳଆଦି

କଦମ୍ବମୂଳେ କାଳିଆ-ବୃତ୍ତରେ ।

 

ଆହା, ଓଡ଼ିଆ ଲଳନା କିସୁନ୍ଦର ଦିଶଇ । ପଦ ।

 

ଲମ୍ବମାନ ନାକଚଣା, ଚକ୍ରାକାର ଫୁଲଗୁଣା,

ନାସାପୁଟ କରି କଣା କି ରଙ୍ଗେ ନାଚୁଥାଇ । ୧ ।

ଦଣ୍ଡି ବିନ୍ଧା ନାକ ସନ୍ଧି ନିଶ୍ୱାସକୁ ଦିଏ ରୁନ୍ଧି,

କାନରେ କାପ ବା ନୋଳି ଦିଏ ପୋଳି ଛିଣ୍ଡାଇ । ୨ ।

 

ଖୋସାର ମୁଣ୍ଡି ଚଉଁରୀ ଯୋଷା ମନ ନିୟେ ହରି,

ତାର ତଳ ଝରାକାଠୀ ବେକ ତଳେ ଲୋଟଇ । ୩ ।

ଓଡ଼ିଶୀ କାଚ ଗୁଡ଼ାଏ ହସ୍ତରେ ଗୁଞ୍ଜି ସେ ଥାଏ ।

ହସ୍ତର ଝୋଟି କାଳିମା ବର୍ଣ୍ଣ ଶୋଭା ନାଶଇ । ୪ ।

 

ଅଧୁଲି ବଶା ଅଙ୍ଗୁରୀ ଅଙ୍ଗୁଳୀ ରଖେ ଓସାରି,

ଖଡ଼ୁ ବାହି ଭାରେ ଥାଏ କଚିଟୀ ବିଣ୍ଡି ହୋଇ । ୫ ।

ଗୋଛା ଗୋଛା କାଚ ମାଳ ! ଗଳାଦେଶେ କରେ ଖେଳା;

ଅବା ଗୁନ୍ଥା ସୁନା କଣ୍ଠି କଣ୍ଠ ଭିଡ଼ି ରଖଇ । ୬ ।

 

ଝୁଲୁ ପଛେ ବକ୍ଷ ସ୍ଥାନ ରହି ସଦା ଅବାରଣ,

ମାନ ରକ୍ଷକ କଞ୍ଚୁକ କେବେ ପିନ୍ଧଇ ନାହିଁ । ୭ ।

ଦିଶୁ ପଛେ କଦାକାର ଅନାବୃତ୍ତ ଅଙ୍ଗ ତାର,

ଛୋଟା ମୋଟା ଲୁଗା ଛନ୍ଦେ ନଗ୍ନ ପ୍ରାୟ ରଖଇ । ୮ ।

 

ହିନ୍ଦୁସ୍ଥାନୀ ଭୈରବୀ ତାଳଆଦି

ପ୍ରିୟ ଭାଇଙ୍କୁ କରୁ ଅଛୁଁ ଗୁହାରି । ପଦ ।

ମନେ ହେଜି ଭ୍ରାତୃଗଣ, ଭଗିନୀଙ୍କ ଅପମାନ

ରଖନାହିଁ ତାଙ୍କୁ ଭାଇ ବିଜ୍ଞାନ ବିଦ୍ୟା ଶିକ୍ଷାରୁ ନିବାରି । ୧ ।

ନାରୀ-ଜାତି ଅବନତି ହେତୁ ନପାଇବ ଖ୍ୟାତି,

ଉନ୍ନତିର ମୂଳ ଭିତ୍ତି ଅବଶ୍ୟ ହେବେ ଶିକ୍ଷିତା ନାରୀ । ୨ ।

 

ଗୃହିଣୀର କାର୍ଯ୍ୟ କ୍ଷେତ୍ର ନୁହେଁ ପାକଶାଲା ମାତ୍ର,

କରିପାରେ ଆର୍ଯ୍ୟ ନାରୀ ମହତ କାର୍ଯ୍ୟ ମନରେ ବିଚାରି । ୩ ।

ପତି ହୀନା କନ୍ୟାଗଣ ଭୋଗି ଦୁଃଖ ଅନୁକ୍ଷଣ,

ସହୁଛନ୍ତି କି ଦୂଷଣ ବିରହେ ସଦା ହୋଇଣ ଘାରି । ୪ ।

 

ପତ୍ନୀ ଭ୍ରଷ୍ଟା ଭାଇ ବିଭା ହୁଏ ବାଳ ବୃଦ୍ଧ ଅବା,

ବାଳିକାକୁ ସଦା ରଖ ବିଧବା ବିଧି ନୁହଇଁ କାହାରି । ୫ ।

 

ରାଗ କାଫି-ଆଠତାଳୀ

ଶୁଭେତ ଏହି ଦିଗରେ-ବୃତ୍ତରେ

 

ଆହା ଉତ୍କଳ ଜନନୀ ଅଛି କେଡ଼େ ଦୁଃଖିନୀ । ପଦ ।

ତାର ଏଦଶା ଦେଖି ସହସା ହୃଦୟ ହୁଅଇ ହାଣି । ୧ ।

ଆଜି ତା ସୂତେ ଅଛନ୍ତି କେତେ ମନେ ଭାରି ଅଭିମାନୀ । ୨ ।

କରନ୍ତି ମଜା-ଜନନୀ ପୂଜା ସମ୍ମିଳନୀ ସଭା ଘେନି । ୩ ।

କିନ୍ତୁ ଦୁହିତା ହୋଇ ଘୃଣିତା ରହନ୍ତି ଘରେ ବନ୍ଦିନୀ । ୪ ।

 

ବିଦ୍ୟା ନଶିଖି ଧର୍ମ ଉପେକ୍ଷି ଥାଆନ୍ତି ସଦା ମଉନୀ । ୫ ।

ଈଶାଣ କୋଣେ ରହି ବାରଣେ ହୁଅନ୍ତି ମାତ୍ର ରାନ୍ଧୁଣୀ । ୬ ।

ବେଶ ଭୂଷାରେ ପରିଧାନରେ ଦିଶୁଥାନ୍ତି କଙ୍ଗାଳୁଣୀ । ୭ ।

ପୁତ୍ର ଦୁହିତା ନକଲେ ଚିନ୍ତା ହେବେକି ମାତା ସୁଖିନୀ ? । ୮ ।

 

ରାଗ ଝଂଜଟି-ଏକତାଳ

ପ୍ରାଣସଜନି, ଭଲା ଭୁଲିଲୁ ତା ପ୍ରୀତିରେ-ବୃତ୍ତରେ

 

କାହିଁକି ଭାଇ, ଅଛ ଭୁଲି ବାଳବିଭାରେ । ପଦ ।

ଚଉଠି ଦିନ ବିଧାନ            ଦେଖି କର ଅନୁମାନ

ଏରୀତି ନଥିଲା ପୂର୍ବରେ । ୧ ।

ମଧୁଶଯ୍ୟାର ବିଧାନ-            ଯୁବତୀ ବିବାହ ଚିହ୍ନ

ବିଦିତ କରଇ ଲୋକରେ । ୨ ।

 

ଆବରଟି ଲାଜାହୋମ-            ବିଟପ ଦୋଷ ଲକ୍ଷଣ

ବୁଝାଏ ଯୌବନ ନାରୀରେ । ୩ ।

ଭାରିଯା ଭାର ବହନ            କରିବାକୁ ସେକି କ୍ଷମ

ବସି ଯେ ବୁଲଇ କାଖରେ । ୪ ।

ଦଶବର୍ଷର ବାଳକ            ବୁଝିବା କାହିଁ ବିବେକ

ପବିତ୍ର ବନ୍ଧନ ଚିତ୍ତରେ । ୫ ।

 

ରାଗ ସ୍ରୋଟ-ଅଟତାଳ

ଦମ୍ଭତୋୟମୟ ଜଳରାଶିରେ ଦରହାସି, -ବୃତ୍ତରେ ।

 

ଅବିଚାର କର କାହିଁ ପାଇଁ ହେ ପ୍ରିୟଭାଇ,

ତ୍ୟାଗକରି ଶାସ୍ତ୍ରଧାରା,      

ପାଳି ଅନ୍ଧ ପରଂପରା,

ଅଜ୍ଞାତରେ ପାଇଜରା,      

ଦେଉଅଛ ତୁମ୍ଭେ ପରା,

କୁଳରୀତି ଆଚାର ଦୋହାଇ ହେ । ୧ ।

 

କଳିଯୁଗେ ପରାଶର,      

ସ୍ମୃତି ଅଟେ ସର୍ବସାର

ନବୁଝିତା ସାରାସାର,      

କରୁଅଛ ଅନାଚାର,

ପୂର୍ବ ରୀତି ଆଉ କିଛି ନାହିଁ ହେ । ୨ ।

 

ବିଚାର ନାହିଁ ତୁମ୍ଭରି,      

ମହବ ଯାଉଛି ସରି,

ବିଦ୍ୟା ଶିକ୍ଷା ପରିହରି,      

ରହୁଛନ୍ତି ଅନ୍ଧ ପରି,

ଉଡ଼୍ରନାରୀ ନିରକ୍ଷର ହୋଇ ହେ । ୩ ।

 

ନଅରଶୋଧା ବିଧାନ,      

ଅଟଇ ରୀତି ଯବନ,

ପୂର୍ବକାଳେ ରାଣିଗଣ,      

      କରୁଥାନ୍ତି ବିହରଣ,

ନିଃଶଙ୍କରେ ପରଦା ନଥାଇ । ୪ ।

 

ବିଭା ହୋଇ ବାଲ୍ୟ ଦିନେ      

ବିଧବା ହୋଇ ଯୌବନେ,

ନଭାବ କେହି ଜଣେ,      

ଭଗ୍ନୀ ରହେ ଆଜୀବନେ,

ଦୁଃଖ ସହି, ଶ୍ରୀବତ୍ସ ଭାବଇ । ୫ ।

 

ଖମ୍ବାଜ ଯତ୍‌

ନବ ସଂସ୍କାର ହୋଇବ ହେ, ଦେଶ କାଳପାତ୍ର ଅନୁସାରେ

ଶାସ୍ତ୍ର ମତଟି ପ୍ରବଳ ରହିବ ହେ । ପଦ ।

 

ଦାରୁଣ ଯାତନା ସହିକି ଚେତନା କାହାରିକି କେବେ ନୋହିବ,

ଚିତାନଳ ଶବ ଦହନ କରଇ, ଚିତାନାଳ ସର୍ବ ଦହିବ ହେ । ୧ ।

ରମଣୀ ଜାତିଟି ନିର୍ଜ୍ଜୀବ ରହିଛି, ସମାଜ ହିତ କି ହୋଇବ,

ମାତାର ଉନ୍ନତି ନକଲେ କି ଜାତି-ଅବନତି ଭୀତିନୋହିବ ହେ । ୨ ।

 

ସରଳା ଅବଳା ହୋଇଲେ ଦୁର୍ବଳା, ତୁମ୍ଭେ କି ପ୍ରଂଶସା ପାଇବ;

ମର କଳେବର ମିଳିବ ଧୂଳିର, କୀର୍ତ୍ତି ଚିରନ୍ତନରହିବ ହେ । ୩ ।

ବାକ୍ୟବୀର ନୋହି କର୍ମବୀର ହେଲେ କିକାର୍ଯ୍ୟ ଅସାଧ୍ୟରହିବ,

ଅଜ୍ଞାନ ଶୃଙ୍ଖଳ କିବା ଚିରକାଳ ପଦଯୁଗେ ବାନ୍ଧିଶୋଇବ ହେ । ୪ ।

ଶ୍ରୀ ବାଞ୍ଛାନିଧି କବିଭୂଷଣ ।

 

ତାଳ-ରୂପକ

ସହି ହେଜ ଆଜ ରଜନୀ ବଂଚିବି କେହିରେ-ବୃତ୍ତରେ ।

 

ଦେଖ ଆହେ ଭ୍ରାତୃମଣ୍ଡଳ, ଭଗିନୀଙ୍କ ଯାତନା,

ପୁତ୍ର ପରି ପିତା ମାତା କରନ୍ତି ନାହିଁ ଲାଳନା । ୧ ।

ଶାସ୍ତ୍ର ଶିକ୍ଷା ସ୍ମୃତି ବିଚାର ଅଜ୍ଞାନାଙ୍କୁ ଦେଉନା,

ବୃଥା କଥାରେ ସେମାନେ କରନ୍ତି ଦିନ ଯାପନା । ୨ ।

 

ବାଲ୍ୟବେଳୁଁ ବିଭା ଦେବାର ଅଛଇଟି ଧାରଣା,

ପାଉ ଝିଅ ସୁଖ ଦୁଃଖ କିଞ୍ଚିତ ନାହିଁ ଶୋଚନା । ୩ ।

ହେଲେ ପୁଣି ସେହି ତରୁଣୀ କାଳେ ସ୍ୱାମୀ ବିହୀନା,

ଆଜୀବନ କାଟେ ଦିନ ସହି ବିରହ ବେଦନା । ୪ ।

 

କଲେ ଦୂର ଏହି ଆଚାର, କରନାହିଁ ଭାବନା,

ବୋଲେ ଦ୍ୱିଜ ଲିଙ୍ଗରାଜ ହେବ କୁରୀତି ମାର୍ଜ୍ଜନା । ୫ ।

 

ତାଳ-ଅଟତାଳୀ

ଏଯୁବା କାଳେ ଏହା ଲେଖିଥିଲା ମୋ କପାଳରେ । ବୃତ୍ତରେ

 

ଏହି ଉତ୍କଳେ ଏହାଥିଲା କୁଳାଙ୍ଗନା ଭାଲରେ । ପଦ ।

ହୋଇ ବିଦ୍ୟାହୀନା            ବିଜ୍ଞାନ ବିହୀନା

ଦିନ ସାରେ ବୃଥା ଚିନ୍ତାରେ,

ସ୍ମୃତି ଶାସ୍ତ୍ର ଶିକ୍ଷା            କରିଣ ଉପେକ୍ଷା

କାଳକାଟେ ରନ୍ଧା ଶାଳରେ । ୧ ।

 

ବାଳେ ବିବାହିତା            ଅବା ହୁଏ କ୍ରୀତା

ଧନ ଲୋଭେ ବୃଦ୍ଧ କୋଳରେ ।

ଗୃହେ ଅବରୁଦ୍ଧା            ରହୁଥାଇ ସଦା

ଆଜୀବନ ପରାଧୀନରେ । ୨ ।

 

ଅନ୍ଧ ପରମ୍ପରା            ପାଳନେ କୁଶଳା

ବ୍ରତକରେ ପୁତ୍ର ଇଚ୍ଛାରେ ।

ସ୍ୱାମୀଙ୍କ ସଙ୍ଗରେ            ମହତ କାର୍ଯ୍ୟରେ

ନୁହେଁ କ୍ଷମ ଯୋଗଦାନରେ । ୩ ।

 

କାଳେ ପତିହୀନା            ହେଲେ ସେ ଯନ୍ତ୍ରଣା

ଭୋଗେସଦା ଦ୍ୱିଜ ଜାତିରେ ।

ଅଥବା କାମିନୀ,            କୁପଥ ଗାମିନୀ

କାଳିଦିଏ ପୂତ କୁଳରେ । ୪ ।

 

ରମଣୀ ବିଧବା            କରିଥିଲେ ଅବା

କେଉଁ ପାପ ପୂର୍ବ କାଳରେ ।

ଭୋଗିବାକୁ ଏବେ            ଯାତନା ନୀରବେ

ବିନାଦୋଷ ଅପରାଧରେ । ୫ ।

 

ନାରୀ ଅବନତି            ସାଧି କେଉଁ ଜାତି

କୀର୍ତ୍ତି ଲଭେ କେଉଁ କାଳରେ ।

ସ୍ତ୍ରୀଜାତି ଉନ୍ନତି            ବିନା ନାହିଁ ଗତି

ରଖିବାକୁ ଖ୍ୟାତି ଦେଶରେ । ୬ ।

 

 

ରାଗ କଲ୍ୟାଣୀ-ଅଟତାଳ

ଭଜ ବରଜ ରାଜ୍ୟରେ ପାମର ମନ, ବୃତ୍ତରେ

 

ମନେ ସ୍ମରଣ କରେ ହେ ଉତ୍କଳୀଭାଇ,

ପୂର୍ବକାଳରେ ଯେରୀତି,

ପୂର୍ବରେ ନାରୀଜାତି ପ୍ରକାଶ୍ୟେ ବିହରନ୍ତି

ନଅରଶୋଧା ରୀତି ଥାଏ କି ଏହି କ୍ଷିତି ?

ଆଜି ସେ ଭାବିନୀ କି ହତଭାଗିନୀ,

ନୁହଇ ସଙ୍ଗିନୀ ଦିବସ ଯାମିନୀ,

ସ୍ୱାମୀ ସଙ୍ଗୁ ପୁଣି ବଞ୍ଚିତା କାମିନୀ ଗୃହରେ

ରହନ୍ତି ହୋଇ ବନ୍ଦନୀ । ୧ ।

 

ଦେଖ ତୁମ୍ଭ ପ୍ରତିବଂଶୀ,

ପୁରୁଷ ସଙ୍ଗେନାରୀ ସାଧନ୍ତି ଉନ୍ନତି ।

ପୂର୍ବେ ଆର୍ଯ୍ୟ ବନିତା ହେଉଥିଲେ ଶିକ୍ଷିତା,

କରୁଥାନ୍ତି ସର୍ବଦା ଶୃତି ଶାସ୍ତ୍ରାନୁଚିନ୍ତା ।

ଦେଖନ୍ତୁ ସମ୍ପ୍ରତି କୁଳୀନା ଯୁବତୀ

ନିରକ୍ଷରା ହୋଇ ଜୀବନ କାଟନ୍ତି,

ଅସାର ଚିନ୍ତାରେ ସମୟ ସାରନ୍ତି କଳିରେ କିଅବା ମତିକି ବଳାନ୍ତି । ୨ ।

 

ଲୋଭ ପରବଶ ହୋଇ ନକର

ଆଉ ଏହି ଜଘନ୍ୟ କୁନୀତି ।

ପୂର୍ବକାଳେ ଯୁବତୀ କନ୍ୟା ଦତ୍ତ ହୁଅନ୍ତି,

ନତୁବା ସେ ବରନ୍ତି ନିଜେ ନିଜର ପତି ।

ଆଜିତ ବାଳିକା ବିବାହ ହୁଅନ୍ତି,

ନଜାଣି କିଛିହିଁ ପ୍ରଣୟ ପଦ୍ଧତି,

ଅଥବା ବିକ୍ରୀତା ବୃଦ୍ଧକୁ ହୁଅନ୍ତୁ ବିରହେ

କାତରା ରହନ୍ତି ଯୁବତୀ । ୩ ।

 

ଯୁକ୍ତି ବିହୀନ ବିଚାରେ ଧର୍ମର

ହାନିହୁଏ, ନାହିଁକି ହେ ଜାଣି ।

ପୁଣି ପରାଶରାଜି ସ୍ମୃତିରେ ଲେଖିଛନ୍ତି

ବରିବେ ଅନ୍ୟ ପତି ସ୍ୱାମୀ ହୀନା ଯୁବତୀ ।

ତଥାପି ବିଧବା ହେଉ କଳଙ୍କିନୀ,

ବିବାହ ତାହାକୁ ଦେବାକୁଟି ପୁଣି,

କରନ୍ତି ଆପତ୍ତି ସବୁ ଜାଣିଶୁଣି

‘‘ସମାଜମିତ୍ର’’ ପଣ୍ଡିତ ଚୁଡ଼ାମଣି । ୪ ।

 

ରାଗ ପୁରବି-ଅଟତାଳି

ମନେ ପଡ଼ୁଛି ଯେ ସେହି ଚନ୍ଦ୍ରମୁଖ-ବୃତ୍ତରେ

 

ଭଗ୍ନୀ ଭୋଗୁଛି ଯେ ଦୁଃଖ ଅପମାନ,

ମନେ ଚିନ୍ତା କଲେ ହୁଏ ହୃଦୟ ବିଦୀର୍ଣ୍ଣ । ପଦ ।

 

ବିଦ୍ୟା ଶିକ୍ଷାରୁ ବଞ୍ଚିତା ରହଇ କୁଳବନିତା

ମୂର୍ଖା ମୁଗ୍ଧା ବୋଲି ସଦା ପାଇଣ ଲାଞ୍ଛନା । ୧ ।

ଅଥବା କଲେ ରମଣୀ ଲେଖା ପଢ଼ା ଶୁଣାଶୁଣି,

ନିର୍ଲଜ୍ଜା ମୂଖରା ବୋଲି ପାଉଛି ଦୂଷଣ । ୨ ।

 

ଯାତ୍ରା ପର୍ବ ଉତ୍ସବରେ ଆବଦ୍ଧ ଗୃହକୋଣରେ

ରହୁଥାଇ ନିବାରଣେ କାରାରେ ଯେସନ । ୩ ।

ନବ୍ୟ ରୀତିର ଭୂଷଣ ସଭ୍ୟତାର ପରିଧାନ

କୁଳୀନା ଲଳନା ପକ୍ଷେ ହୁଏ ଆଭୂଷଣ । ୪ ।

 

ବାଲ୍ୟ ଦିନେ ବିଭା ହୁଏ ବୃଦ୍ଧକୁ ବା ବିକ୍ରୀ ହୁଏ

ଦୁଃଖମୟ କରି ଭାବି ପ୍ରଣୟ ବନ୍ଧନ । ୫ ।

କାଳେ ହେଲେ ସ୍ୱାମୀ ହୀନା ଭୋଗୁଛି କେତେ ଯନ୍ତ୍ରଣା

ନୀରବେ ସହି ବିରହ ବାଧା ଆଜୀବନ । ୬ ।

 

ଶୁଭକାର୍ଯ୍ୟେ ନିରନ୍ତର ସଧବା ସଙ୍ଗୁ ଅନ୍ତର

ହୋଇ ସହେ କ୍ଷୁବ୍ଧମନେ ଭାରି ଅପମାନ । ୭ ।

 

ରାଗ ଖମାଚ-ତାଳ ଝୁଲା

କାହିଁ ଅଛ ଶ୍ରୀହରି-ବୃତ୍ତରେ

 

ଦେଖ ତୁମ୍ଭ ଭଗିନୀ କି ଅଭାଗିନୀ, ହେଭାଇ ଉତ୍କଳୀୟ,

କାହିଁ ପାଇଁ ହୋଇଛ ତୁନି । ପଦ ।

 

ରୁଦ୍ଧ ଗୃହରେ, ପାକଶାଳାରେ,

ବାଡ଼ି ମାଳରେ, ନଦୀତଟରେ,

ଅବା ପଡ଼ୋଶି ସଙ୍ଗରେ ଅସାର ଚିନ୍ତାରେ

କିବା କଳିକଯ୍ୟାରେ କାଟଇ ଦିନ ଯାମିନୀ । ୧ ।

 

ବିଦ୍ୟା ଶିକ୍ଷା ଲାଭୁଁ ଦୁହିତା,

କୁସଂସ୍କାର କର୍ମେ ନିରତା,

ହୋଇ ଅଛି କି ଦୁଃଖିନୀ । ୨ ।

ରହେ କର୍ମ ଅନୁସରି,

କାର୍ଯ୍ୟେ ସଦା ଦାସୀ ପରି,

ନାମେ ମାତ୍ର ସଙ୍ଗିନୀ । ୩ ।

 

ବେଶ ଭୂଷା ଅତି କଦାକାର-

ହେତୁ ପାଉ ଥାଏ ଅନାଦର,

ଶୈଶବେ ବିକ୍ରୀତା ହୋଇଣ ବୃଦ୍ଧଙ୍କୁ

ଆଜୀବନ ରହେଁ ବିଧବା ପାପିନୀ । ୪ ।

 

ରାଗ ଗାନ୍ଧାରଶ୍ରୀ-ତାଳ କଓ୍ୟଲି

ଆହେ ଦ୍ୱିଜାତିସୁତେ, ଏପରି ନିର୍ଦ୍ଦୟ ହୋଇଅଛି ତୁମ୍ଭର ହୃଦୟ

ତେଜି ସର୍ବମାୟା ବିକୁଅଛ ପଶୁପ୍ରାୟ ସ୍ୱକୀୟ ଦୁହିତାରତ୍ନଚୟ । ପଦ ।

 

ନିଜ ରକ୍ତରୁ ଜାତ            ଅଟନ୍ତି ଯେ ସୁତାସୁତ

ତାହାଙ୍କୁ କରୁଛ ହେ ବିକ୍ରୟ !

ଏହାଠାରୁ ବଳି ଭାଇ,            ଏହି ଭବେ ପାପନାହିଁ,

କରନା ଆତ୍ମାକୁ ପାପମୟ । ୧ ।

 

ସାମାନ୍ୟ ଅର୍ଥର ଲୋଭେ            ବିକୁଛ କନ୍ୟାକୁ ଦମ୍ଭେ

କରିଣ ଜନମ ମହାଶୟ,

(ଲୋଳିତ ଚର୍ମ ଯେ ବର            ସେ କି ଯୋଗ୍ୟ ବାଳିକାର ?

କରିବାକୁ ଶୁଭପରିଣୟ)

ହୋଇ ତୁମ୍ଭେ ଅର୍ଥବ୍ୟାଧି            ହୋଇ ପୁଣି ଅତି ଅନ୍ଧ

କରୁଛ ବିଧବା ଦେଶମୟ । ୨ ।

 

ଟାଣରେ କହ ନିତି            ‘‘ଆମ୍ଭେ ଅଟୁ ଉଚ୍ଚ ଜାତି,’’

ତେବେହେଁ ହୋଉଛ ନୀରାଶୟ ।

ପିଶାଚ ପ୍ରାୟ ହୋଇ            ହୀନ କାର୍ଯ୍ୟ କରନାହିଁ

ହୋଇ ତୁମ୍ଭେ ଅତି ନିରଦୟ । ୩ ।

ଶ୍ରୀ ଜଗନ୍ନାଥ ପଣ୍ଡା ।

 

ରାଗ ତୋଡ଼ି-ତାଳ ଜଳଦତି ତାଲା

କାହିଁ ପାଇଁ ଭାଇ, କହ ନ ପଢ଼ାଅ ନାରୀକି । ପଦ ।

ବିଦ୍ୟାତ ବିନୟ ଦିଏ            ଏହି ନୀତି ଶାସ୍ତ୍ର କହେ,

ଶୁଣାନାହିଁ କି ତାହା କହ ଶୃତିକି । ୧ ।

ଶିକ୍ଷଣୀୟା ପାଳନୀୟା            ତନୟ ପରିତନୟା,

ପଢ଼ି ନାହିଁକି ଏ ସୁଭାରତିକି । ୨ ।

 

କାହିଁରେ ନିଷେଧ ଥିଲେ            କହତା ଶୁଣିବା ଭଲେ;

ଅହର୍ନିଶି ବସ ଖୋଜି ଶୃତିକି । ୩ ।

ଗାର୍ଗୀ ମୈତ୍ରେୟୀ ସାବିତ୍ରୀ            ଥିଲେ ବେଦ ରଚୟିତ୍ରୀ

ଭଲେ ଚିହ୍ନ ଥରେ ସରସ୍ୱତୀକି । ୪ ।

 

ଭାସ୍କର ଆଚାର୍ଯ୍ୟ ପାଟୀ-            ଗଣିତରେ ପରିପାଟୀ,

କରି କହିଛନ୍ତି ଲୀଳାବତୀଙ୍କି । ୫ ।

ପଦ୍ମଚରଣ କବିଚନ୍ଦ୍ର ।

 

ମୂଲତାନ୍‌-ଆଡ଼ାଠେକା

ଚିରନ୍ତନ ଅଶିକ୍ଷିତା ଉତ୍କଳ ରମଣିଗଣ,

ଥିବେ କିହେ ଗୃହକୋଣେ ମୁଦ୍ରିତ କରି ଲୋଚନ । ପଦ ।

 

ଶିକ୍ଷାଦେଇ ରମଣୀଙ୍କୁ ବାହାର କରି ପଦାକୁ

ସ୍ୱାଧୀନତା ଦାନେ କୃତ-କୃତ୍ୟକରି ହୁଅ ଧନ୍ୟ । ୧ ।

ସୀତା, ଦ୍ରୌପଦୀ, ସାବିତ୍ରୀ, ଦୁର୍ଗାବତୀ, ଲୀଳାବତୀ

ଜାଣିଛ ସ୍ୱାଧୀନ ଥିଲେ ରମଣୀ କୁଳ ଲଲାମ । ୨ ।

 

ସେ ପୁରାଣ, ଇତିହାସ ପଢ଼ି ଯା’ ହୀନ ସାହସ

ହୋଉଛ, ଅତି ଆଶ୍ଚର୍ଯ୍ୟ ମଣୁଛି ସଂସ୍କାର ମନ । ୩ ।

ସଂକୀର୍ଣ୍ଣତା ପରିହରି ଉଦାରତା ହୃଦେ ଧରି

କର ଭୂଭାରତେ ଧନ୍ୟ ଉତ୍କଳ ଦେଶର ନାମ । ୪ ।

ଶ୍ରୀ ଜଗନ୍ନାଥ ପଣ୍ଡା ।

 

ରାଗ ରେଗୁପ୍ତ-ଆଠତାଳୀ

(ଜଣାଥିଲା କି ମତେ ଏ ରୀତି ଗୋ-ବୃତ୍ତରେ)

 

ଶୁଣା ଥିଲାକି ପୂର୍ବେ ଏରୀତି ହେ, ବଣା ନୁହଁଭାଇ, କଣାପରି

ହୋଇ ତେଜି ନିଜ ଆର୍ଯ୍ୟ ନୀତି ହେ । ପଦ ।

 

ନାରୀଜାତି ସ୍ୱାଧୀନତା କ୍ଷମତା ହରିନେବା ରୀତିନୁହେଁ ସୁପ୍ରଥା,

ଡରି ତାଙ୍କୁ ସିନା କରିବାର ମନା ଅଟଇ ଯବନରୀତିହେ । ୧ ।

ବାସିକାମ କରି ଦିବା ଯାମିନୀ ଦାସ ପରି ରହେ ସହଧର୍ମିଣୀ,

ଦେଖିବା ଲେଖିବା ପଢ଼ିବା ଶୁଣିବା ମନାଥାଏ ତାହାପ୍ରତି ହେ । ୨ ।

 

ରନ୍ଧାଶାଳା ଅନ୍ଧ କୂପେପଡ଼ିଣ ବନ୍ଧାଥାନ୍ତି କାରାଗୃହେ ଯେସନ,

କିଲାଜେ ପଳାନ୍ତି ଭଲାସେ ଲୁଚନ୍ତି ଦେଖିଲେ ପୁରୁଷଜାତି ହେ । ୩ ।

ପୂର୍ବେ ସୀତା ଦମୟନ୍ତୀ ପ୍ରଭୃତି ସର୍ବେ ପରକାଶ୍ୟଭାବେ ବୁଲନ୍ତି,

ଦେଶ ବିଦେଶରେ ବାସ ଭବନରେ ସଙ୍ଗେ ଘେନି ନିଜପତି । ୪ ।

 

ଆଜି ସେହି ଆର୍ଯ୍ୟ ଉତ୍କଳ ନାରୀ ରାଜିହୁଏ ରହିବାକୁ କିପରି,

ଚୂଚୂନ୍ଦ୍ରାର ପରି ଚୁ ଚୁ ଠାର କରି ରୁଦ୍ଧ ଗୃହକୋଣେ ନିତିହେ । ୫ ।

 

ରାଗ ଦେଶାକ୍ଷ-ଝୁଲା

(ହଇରାଣ କାହିଁକି ଏତେ-ବୃତ୍ତରେ)

 

ସୁଶିକ୍ଷିତ ଭାଇ, କାହିଁକି

ଶିକ୍ଷା ଦେଉନାହଁ ତୁମ୍ଭ ଭଗ୍ନୀକି । ପଦ ।

 

ସ୍ନାନଘାଟେ ସେ ପଛେ ଉଲଙ୍ଗ ଦିଶେ,

ଘରେ କାନ୍ଥ ଛନ୍ଦେବାନ୍ଧେ କଟିକି ।

ସ୍ୱାମୀ ସଙ୍ଗାଳାପ ଥାଉ ତେଣିକି,

ଦିବସେ ନ ଆସେ ତାଙ୍କ କତିକି । ୧ ।

 

ରନ୍ଧାଶାଲା ଅନ୍ଧକୂପେ ସଦା ପଡ଼ି,

ଦିବାଭାଗେ ଯାଏନାହିଁ କେଣିକି ।

ନଣନ୍ଦ ଅମିନ ସ୍ୱାମୀଙ୍କ ସ୍ୱାଧୀନ,

କରାଇ ଭେଟାଏ ଅଧରାତିକି । ୨ ।

 

ସଙ୍ଗୀତ ସାହିତ୍ୟ ଶିକ୍ଷା କରି ଦୂର,

ଚୁ ଚୁ ରାବେ ଯେଉଁ ନିନ୍ଦେ ମୂଷିକ ।

ସେ ପୁଣି କିପରି ସରସ ଆଳାପେ,

ତୋଷିବ ମୋହିବ ତୁମ୍ଭ ମତିକି ।୩ ।

 

ଅଭିନବ ସଂସ୍କାରକ ଭାଇ କେତେ,

ବାରଣ କଲେହେଁ ବୀର ନାରୀକି,

ସଙ୍ଗୀତ ଶିକ୍ଷିତା ଭାବିନୀ ଅଭାବେ,

ବେଶ୍ୟା ସହବାସ ଦୂର ହେବକି ।୪ ।

 

ମରମ ନ ଜାଣି ଭରମ ହୋଉଛ,

ବିଚାର ନ କର ଥରେ କାହିଁକି ।

ମୂଳକୁ ପାଳିଣ ଡାଳକୁ ଛେଦୁଛ,

ବୁଦ୍ଧିଟି ତୁମ୍ଭର ବାମ ହେଲାକି । ୫ ।

 

ରାଗ ତୋଡ଼ି-ତାଳ ରୂପକ

ଆହା କି ହତଭାଗିନୀ ! ।ପଦ ।

ଉତ୍କଳକୁଳ ସୀମନ୍ତିନୀ, କି କଷ୍ଟେ କାଟନ୍ତି ଦିବା ଯାମିନୀ,

ସହବାସିନୀ ସୁଖଦାୟିନୀ ମନ ମୋହିନୀ ମୃଦୁଭାଷିଣୀ ।୧ ।

ଯେ ଥିଲା ସହଧର୍ମିଣୀ, ଆଦରଶ ଆର୍ଯ୍ୟ ଗୃହିଣୀ,

ସତୀ ନାରୀମାନଙ୍କ ଶିରୋମଣି,

ସେହି କାମିନୀ ଆଜି ଦୁଃଖିନୀ ଅବମାନିନା ନୁହେଁ ସଙ୍ଗିନୀ । ୨ ।

 

ଶିକ୍ଷିତା ଆର୍ଯ୍ୟାବନିତା, ବିପଦେ ପରାମର୍ଶ ଦାତା,

ସର୍ବଦା କରନ୍ତିଟି ହିତଚିନ୍ତା,

କିନ୍ତୁ ସମ୍ପ୍ରତି ହିନ୍ଦୁ ଯୁବତୀ ଅତି ଅଜ୍ଞାନୀ, ସଦା ମଉନୀ । ୩ ।

 

ରାଗ ତୋଡ଼ି-ଏକତାଳ

ଜଗତ୍ରାତା, କର ତ୍ରାହି ହେ ପତିହୀନା ଭଗିନୀଗଣେ ।

ବାଲ୍ୟବୟସେ ବିଭାହୋଇ ବିଧବା ରହନ୍ତି ଆଜୀବନେ । ପଦ ।

ଯଉବନେ ଦୁଃଖିନୀ ରହୁଛନ୍ତି ବିରହରେ ବିଧୁରା ଅସ୍ଥିରା,

ଭାବିତା, ଚିନ୍ତିତା, ଅଭାବେ ରାତ୍ର ଦିନେ । ୧ ।

ତାଙ୍କ ପ୍ରବେଶ ମନା ଉତ୍ସବାଦି ପର୍ବଦିନେ,

ଅଶୁଭା, ଅଭାଗାଦୂଷିତା, ଲାଞ୍ଛିତା, ଘୃଣିତା ସବୁଦିନେ । ୨ ।

ନିର୍ଜ୍ଜଳା ଏକାଦଶୀ କୋମଳା ବାଳିକା ପାଳେ,

ଛାଡ଼ି ସେ ଆମୀଷ କରିଣ ହିବିଷ୍ୟ ବିଶେଷ କ୍ଷୁବ୍ଧ ମନେ । ୩ ।

ସଧବା ବେଶ ଦେଖି ଚିନ୍ତିତା ହୋଇ କାତରେ,

ଅପ୍ରିୟା, ବର୍ଜ୍ଜିତା ବନିତା, ସ୍ୱରୂପା କାନ୍ଦଇ ଦ୍ୱାରକୋଣେ । ୪ ।

ନ କଲେ ପ୍ରଭୁ ରକ୍ଷା, ଅନ୍ୟ କେ କ୍ଷମ ନାହିଁ

କୁରୀତି ଦଳିତ ସମାଜୁ ବାଳିକା ବିଧବା ପରିତ୍ରାଣେ । ୫ ।

 

ରାଗ ଝଂଝୋଟ-ଝୁଲା

ପରାଣମିତ ପଚାର ଲୋ ତାକୁ ସନ୍ଦେଶ-ବୃତ୍ତରେ ।

 

ଓଡ଼ିଆ ଭାଇ, ଛାଡ଼ ଏହି ଯବନ ରୀତି । ଘୋଷା ।

ଅବଳାଙ୍କୁ ବଳେ ରଖିବାର ନିରୁଦ୍ଧ କରି ଗୃହଭିତର,

କେହି ନ ଜାଣେ ଈଶାଣକୋଣେ ଲୁଚାଇ ତାଙ୍କୁ ରଖିବାର । ୧ ।

 

ଯାତ୍ରା ପର୍ବ ଉତ୍ସବେ ପୁରୁଷେ ବସାରେ ବୁଲନ୍ତି ମନ ଉଲ୍ଲାସେ,

କିନ୍ତୁ ବାଦ୍ୟର ଶବଦଶୁଣି ତରୁତରେ ଆସିଣ ତାରୁଣୀ,

ଗବାକ୍ଷ-ପାଖେ କଟାକ୍ଷେ ଦେଖେ, ଆଖି ଖଞ୍ଜି ତା ରନ୍ଧ୍ର ଦ୍ୱାରରେ । ୨ ।

 

ଶ୍ରାଦ୍ଧ ବ୍ରତ ଶୁଭାଶୁଭ ଦିନରେ ନାରୀଗଣ ଆସିଥାନ୍ତି ଗୃହବାହରେ,

କିନ୍ତୁ ଅବଗୁଣ୍ଠନେ ଆବୃତ ହେବାରୁ କଟିଦେଶପର୍ଯ୍ୟନ୍ତ,

ନଦିଶଇ ପଥ ଚାଲୁଥାନ୍ତି ଅନ୍ଧପରି ଆଶ୍ରାକରି ଅନ୍ୟର କତି । ୩ ।

 

ପାହାଡ଼ି-ଖେମଟା

ରସିକପଣକୁ ଧିକ ଛି ଛି ଏଡ଼େ ନିର୍ଲଜ୍ଜ;

କୁଳୀନାକୁ ହୀନା କରି ବିଲୟ ଯା ନ ଭଜ । ପଦ ।

 

ବୁଦ୍ଧି ନଦିଶେ ଘରକୁ ତିଆରୁଥାଅ ପରକୁ;

ନିରୟ ପୁରି ତୋଦରେ ସଭାକୁ ହୁଅ ସଜ । ୧ ।

ଝିଅଙ୍କୁ ନ ଦେଇ ଶିକ୍ଷା କରୁଥାଅ ମୁଷ୍ଟି ଭିକ୍ଷା;

ଶିଶୁ ପୁତ୍ର ବିବାହାର୍ଥେ ଶତ ମୂଦ୍ରା କରଜ । ୨ ।

 

ଭୂସମ୍ପତ୍ତି ହସ୍ତାନ୍ତର କରି ବେଶ ଭୂଷା କର,

ସ୍ୱର୍ଣ୍ଣ ରୌପ୍ୟ ଅଳଂକାର ନାଗରୀଙ୍କର ସଜ । ୩ ।

ମସ୍ତକରେ କର ପୀଡ଼ା ସହି ନ ପାଉଛ କ୍ରୀଡ଼ା,

କର ଇନ୍ଦ୍ରଜାଲ କ୍ରୀଡ଼ା ନ ହୁଏ କି ଦରଜ ? । ୪।

ଶ୍ରୀ ବାଞ୍ଛାନିଧି କବିଭୂଷଣ ।

 

ସ୍ୱାକଳ୍ପାଣୀ-ଆଦିତାଳ

[ଶରଣ ରକ୍ଷଣ କଳୁଷ ହରଣ-ବୃତ୍ତରେ]

 

ଜଗତ-କାରଣ, ତ୍ରିଲୋକ-ମୋହନ, ଅନନ୍ତ ଅନାଦି ନାମ ।

ଦୟାମୟ ନ୍ୟାୟବାନ ପରାତ୍ପର ଭଗବାନ । ୦ ।

ବିଧବା ଭଗିନୀ ଅତି ଅଭାଗିନୀ ସହେ ସଦା ଅପମାନ ।

ଭୋଗେ ଦୁଃଖ ଆଜୀବନ, ବିରହେ ଅସ୍ଥିର ପ୍ରାଣ । ୧ ।

 

ବିଧବା କାମିନୀ ବିପଥଗାମିନୀ ହୁଏ-କୁଳ କଳଂକିନୀ,

ମନସିଜ ତୀବ୍ରବାଣ କରି ନ ପାରି ନିର୍ବାଣ । ୨ ।

ଜାଣେନାହିଁ ବିଭା ବାଳିକା ବିଧବା, ଯାର ନାହିଁ ଆତ୍ମଜ୍ଞାନ,

କର ତାକୁ ପରିତ୍ରାଣ ହେଉ ସେହି ବିଭା ପୁଣ । ୩ ।

 

କାମୋଦି-ପହପଟ

ଈଶ୍ୱର କଲେ ପାଇବି ନିରତେ ନାମ ଗାଇବି ।

ବାଲ୍ୟକାଳରୁ ବିବାହ-ଗାତ୍ରଦାହ, ସେସବୁ ବିସ୍ମୃତ ହୋଇବି । ପଦ ।

 

ଅନାଥା ବିଧବା ହୋଇଣ ସଧବା ରମଣୀ ସତେ ବୋଲାଇବି ।

ଗୃହସ୍ଥାଣରମ ମହତ କରମ ପୁରୁଷ ସଙ୍ଗେ ଆଚରିବି । ୧ ।

ସିନ୍ଦୂର ଅଏଁଳା ଦେଇ ହରବାଳା ପନିରନିରେ ଗାଧୋଇବି,

ଯେବେ କେହିଜନ ଏ ଦୃଢ଼ ବଚନ କହିବ ତାପାଦେ ନମିବି । ୨ ।

 

ଦାରୁଣ ମରମ ବେଦନା ତରୁଣ ବୟସେ ସିନା ଛଡ଼ାଇବି;

କାମନା ସୁଫଳ ଆବଦ୍ଧ ଶୃଙ୍ଖଳ ହେଲେ, ପୟରୁ କଢ଼ାଇବି । ୩ ।

ଆଉକେତେକାଳ ଏ ପୋଡ଼ା କପାଳ ଦୁର୍ଦ୍ଦଶା ନ ଯିବ ସହିବି,

ଉନ୍ମୁକ୍ତସ୍ଥାନରେ ବିଶୁଦ୍ଧମନରେ ସ୍ୱ ଅସୁବିଧା ଜଣାଇବି । ୪ ।

ଶ୍ରୀ ବାଞ୍ଛାନିଧି କବିଭୂଷଣ ।

 

ପ୍ରାନ୍ତ ଜମକ

[ରଖିଲା ମନ ବିମ୍ବାଧରୀ ଧରିରେ-ବୃତ୍ତିରେ ।]

 

କେ ପାରେ ପୁରୁଷେ ବିରହୀ ରହିରେ ।

ଜଡ଼ପ୍ରାୟ ହେଲିଣି ସହି, ସହିରେ । ପଦ ।

ଏକେ ପରଦାସିନା ଦ୍ୱିତୀୟେ ପତି ହୀନା ।

ସ୍ତ୍ରୀ ଶିକ୍ଷାର୍ଥେ ଥକିଲୁଁ କହି କହିରେ । ୧ ।

 

ବୋଲାନ୍ତି ସହୃଦୟ ଦୀର୍ଘ ପ୍ରବନ୍ଧଚୟ

ଲେଖି ବାକ୍ୟରେ ଦୟା ବହି ବହି ରେ । ୨ ।

ପଛକେ ଭୃଣହତ୍ୟା ହେଲେ ହେଉ ଅଗତ୍ୟା ।

ବିଧବାର ଦଂପତ୍ୟା ନାହିଁ ନାହିଁରେ । ୩ ।

 

ବରଂ ମରଣ ଶ୍ରେୟଃ ଯେବେ ହୋଇଲୁ ହେୟ ।

ସ୍ୱାଧୀନତା ନାହିଁ ଆଜହିଁ ଯହିଁରେ । ୪ ।

କହେ କବିଭୂଷଣ ବିଟତ୍ପବ ଦୂଷଣ ।

ପାରୁ ଗୋରସ-ଘୃତ-ଦହି ଦହିରେ । ୫ ।

 

ଲଳିତ ଆଡ଼ାଠେକା

ଜନୈକ ବାଳବିଧବାର କ୍ରନ୍ଦନ ।

 

ହାୟ ବିଧେ, କିକରିବି ଏହା ଥିଲା ମୋ କପାଳେ ।

ମୋ ପରାଣ-ତରୀ ନିତ୍ୟ ଭାସେ ବିଶ୍ୱ-ପାରାବାରେ । ପଦ ।

ଏକାଦଶୀ ବ୍ରତ କରି ଉପବାସେ ଗଲି ମରି ।

କିକରିବି ସଂଜ୍ଞାହୀନା, ହେଲିଣି ଅଜ୍ଞସଂସାରେ । ୧ ।

 

ଏବେ ତ ମତେ ଯୌବନ-ରୋଗ କଲା ଆକ୍ରମଣ

ସେ ରୋଗକୁ ଅଉଷଧି କିଏ ଦେବ ଏହି କାଳେ ? । ୨ ।

ମୋ ସତୀତ୍ୱ ହେବ ନାଶ ଜାଣୁଅଛି ଶ୍ରୀନିବାସ ।

କି କରିବି କହ ପ୍ରଭୋ, ପଡ଼ିଛି ଭବାନ୍ଧକାରେ । ୩ ।

 

ଗଲେ ମୁହିଁ ଶୁଭକାର୍ଯ୍ୟେ କି ଘୃଣା କରନ୍ତି ଆର୍ଯ୍ୟେ ।

କେତେ ଦୁଃଖ ପ୍ରଭୋ ମତେ ଦେଉଛନ୍ତି ଦୁରାଚାରେ । ୪ ।

ଦେଖି ଭଗିନୀ ସନ୍ତାନେ ଦୁଃଖ ଭୋଗେ ମୋ ପରାଣେ

ଭାବଇ ଜୀବନ ବୃଥା ଅଟେ ସିନା ଏ ସଂସାରେ । ୫ ।

 

ସଂସ୍କର୍ତ୍ତା ତବ ପ୍ରେରିତ ମୋ ଦୁଃଖେ ଅତି ଦୁଃଖିତ ।

ସେହି ହରିବେ ମୋ ଦୁଃଖ ଜାଣୁଛି ଏ କଳିକାଳେ । ୬ ।

ହେ ସଂସ୍କର୍ତ୍ତା ବେଗେ ଆସ ଦିଅ ଅନ୍ଧେ ଉପଦେଶ ।

ଯାଉ ଅନ୍ଧତା ଜଡ଼ତା ହିନ୍ଦୁ ହୃଦୁ କାଳେ କାଳେ । ୭ ।

ଶ୍ରୀ ଜଗନ୍ନାଥ ପଣ୍ଡା ।

 

ଶଙ୍କରାଭରଣ-ଆଟତାଳୀ

କୁସଂସ୍କାରେ ଜଡ଼ିତ ସଦା ଥାଇ ।

ମନରୁ ତବ ଭ୍ରାନ୍ତି ଗଲାନାହିଁ । ପଦ ।

 

କଲେ ବିଧବା ବିଭା ହେଉଛି ଦୋଷ କିବା

ତାଙ୍କ ଦୁର୍ଗତି ଥରେ ଦେଖ ଭାଇ । ୧ ।

ଅନାଥା ନାରୀଠାରେ ସୁଦୟା ବହି ବାରେ ।

ବୁଲୁଥିବେ ତୁମ୍ଭର ଦୟା ଗାଇ । ୨ ।

 

ଶାସ୍ତ୍ରକୁ କଲେ ଭକ୍ତି ହେଜ ସେ ପାଞ୍ଚ ସତୀ ।

ଯେ ପାଞ୍ଚ ନାମେ ପାପ ଲୁଚେ ଯାଇ । ୩ ।

ଦେଖ ତବ ଭଗିନୀ କେମନ୍ତ ଅଭାଗିନୀ ।

ଭାଇ ବୋଲି ତୁମ୍ଭଙ୍କୁ ଛନ୍ତି ଚାହିଁ । ୪ ।

ଶ୍ରୀ ଜଗନ୍ନାଥ ପଣ୍ଡା ।

 

ପରଜ ଏକତାଳି

ଜଣାପଡ଼ିଲାରେ ପୁରୁଷଙ୍କ ସିଂହପଣ ।

ତୁମ୍ଭର ଭଗିନୀ ହେଲା ଅଭାଗିନୀ

ସୁଖୀ ଯା ହେଲ ଆପଣ । ପଦ ।

 

ଏକହିଁ ଜନନୀଠାରୁ ଆମ୍ଭେ ବେନି ଜନମ ଲଭିଛୁଁ ପରା,

ପୁତ୍ରହେଲେ ସାର ଆମ୍ଭେ ନାରଖାର କେଉଁ ଦୋଷୁଁ ଅସକରା । ୧ ।

ଆମ୍ଭରି ନିମନ୍ତେ ତୁମ୍ଭେ ଏ ଜଗତେ ମନୁଷ୍ୟର ଗଣା ହେଲ ।

ଏତେବେଳେକୁ ତା ପୋସୋରି ଦେଇଣ ସାଗରେ ଭସାଇଦେଲ । ୨ ।

 

କାହା ମନେଥିଲା ଏହା ହେବବୋଲି, ତୁମ୍ଭେ ଏଡ଼ିକି କୁଟିଳା ।

ଆମ୍ଭର ହୃଦୟ ଅଟେ ଧର୍ମମୟ ତୁମ୍ଭ ହୃଦୟ ପଂକିଳ । ୩ ।

ନାରୀର ଜୀବନ ଯେମନ୍ତେ ଗଠନ ହୋଇବ ସେ ତୁମ୍ଭ ହାରେ

ରହିଲା ବୋଲିକି ଯାଉଛ ଭୁଲିକି ଥରାଇଲ ଚିନ୍ତାବାତେ । ୪ ।

ଶ୍ରୀ ବାଞ୍ଛାନିଧି କବିଭୂଷଣ ।

 

 

ଯମୁନା କଲ୍ୟାଣ-ଆଟତାଳ

ପ୍ରାଣସଙ୍ଗିନୀରେ ନେତ୍ରାନନ୍ଦ ପସରା-ବୃତ୍ତରେ

 

କିଏ ଭଗିନୀଲୋ ତତେ ଏ ଦଶା ଦେଲା ।

ବାଲ୍ୟରେ ବିଧବା କଲା । ପଦ ।

 

ବେଶଭୂଷା ଛଡ଼ାଇଲା,            ସୁଖଶାନ୍ତି ହରାଇଲା,

ସଖୀ ମେଳୁ ଶୁଭକାଳେ ଅନ୍ତର କଲା । ୧ ।

କୁଙ୍କୁମ କଜ୍ଜ୍ୱଳ ହୀନ            ଚାରୁ ଚନ୍ଦ୍ର ମାଆଜନ,

ପ୍ରସ୍ଫୁଟିତ ଯଉବନ ବୃଥାତ ଗଲା । ୨ ।

 

ବାପା, ମା, ଭାଇ, ଭାଉଜ            ଭୋଗଲାଗି ହେବେ ସଜ,

କିନ୍ତୁ ବିରହେ ତୋ ମନ ସଦା ଝୁରିଲା । ୩ ।

ବୁଝିଛୁ ତୁ ପରା ତୋର            ପୂର୍ବ ପାପ କରମର

ଫଳରୁ ଏ ଦଶା ଏତେ ଘଟିଲା । ୪ ।

 

ତାହା ନୁହେଁ କିନ୍ତୁ କ୍ରୂର            ସମାଜର କୁଳାଚାର

ହେତୁ ସବୁ ସୁଖ ଆଜି ତୋର ସରିଲା । ୫ ।

 

ସ୍ମୃତି ଶାସ୍ତ୍ର ଅଧ୍ୟୟନ            କଲେ ହେଲେ ଉଦାସୀନ

ମନ ତୋ ଦୁଃଖ ମୋଚନେ ଚେଷ୍ଟା ନକଲା । ୬ ।

 

ପଡ଼ିବୃତ୍ତ

ବିଧବା ବିବାହ ପକ୍ଷପତୀ ସୁଧୀରେ ।

ବିଶ୍ୱେ ତବ କୀର୍ତ୍ତି-କେତୁ ଉଡ଼ିବ ଧୀରେ । ପଦ ।

 

ଆଳସ୍ୟ ଉପେକ୍ଷି ଜାଗ କର୍ତ୍ତବ୍ୟ କରି ଆଗ,

କର୍ମକ୍ଷେତ୍ରେ ଲାଗଲାଗ ହେବ ସିଦ୍ଧିରେ । ୧ ।

ଅଚିରେ ଫେରିବ ଦଶା ହେଉଛି ମନେ ଭରସା,

ଏବେ କିମ୍ପା ଲୋକହସା ହୁଅ ବିଧିରେ । ୨ ।

 

ଯେ ଜଘନ୍ୟ ଚିରପ୍ରଥା ଦୋଷ ଦେଇ ଛେଚ ମଥା

ଶକତି ସାମର୍ଥ୍ୟ ଯେବେ ଅଛି ରୁଧିରେ । ୩ ।

ଶ୍ରୀ ବାଞ୍ଛାନିଧି କବିଭୂଷଣ ।

 

କାମୋଦି-ଏକତାଳ

[ଚନ୍ଦ୍ରମୁଖୀ ତାକୁସିନା ଭାଗ୍ୟବନ୍ତ ପଣେ ଲେଖି-ବୃତ୍ତରେ]

 

ପ୍ରିୟଭାଇ, ତାଙ୍କୁ ସିନା ସୁଶିକ୍ଷିତ ବୋଲି କହି । ପଦ ।

କରିଥିବ ଯେ ସାହିତ୍ୟ ଜ୍ଞାନ, ବୁଝୁଥିବ ଇଂରାଜୀ ବିଜ୍ଞାନ,

ବେଦାନ୍ତ ସିଦ୍ଧାନ୍ତ ତବ ଜାଣିମନ ଛାଡ଼ିଥିବ କୁସଂସ୍କାରମାନ । ୧ ।

 

ପାଳୁଥିବ ନୀତିର ନିୟମ, ବର୍ଜ୍ଜି ବୃଥା ଜାତି ଅଭିମାନ,

ସକଳ ପ୍ରାଣୀରେ ରଖି ସମଭାବ କରୁଥିବ ବିଭୁଙ୍କୁ ବିଜନ । ୨ ।

ବାକ୍ୟ ମନରେ ଥିବ ସମାନ ନିଜ ମତ ନ କରି ଗୋପନ,

ମୁଖଦେଖାଭାବ ଛାଡ଼ି କହୁଥିବ ଅପ୍ରିୟ ହେଉ ସତ୍ୟବଚନ । ୩ ।

 

ନାରୀଜାତି ଅଭାବ ମୋଚନ ଥିବ କରିବାକୁ ସଦା ମନ,

ଦେଇ ସତଶିକ୍ଷା ସ୍ୱାଧୀନତା ତାଙ୍କୁ କରୁଥିବ ଉଚିତ ସମ୍ମାନ । ୪ ।

ହେଲେ ହେବ ଶରୀର ପତନ କରୁଥିବ କର୍ତ୍ତବ୍ୟପାଳନ,

ବ୍ୟକ୍ତିଗତଭାବେ ନିଜେ କରୁଥିବ ଜନ୍ମଭୂମି ଉନ୍ନତିସାଧନ । ୫ ।

 

ରାଗ ସାରଙ୍ଗ-ତାଳଆଦି

ସାଇଁସାକ୍ଷୀ ନୀଳକୁନ୍ତଳରେ-ବୃତ୍ତିରେ

 

ଭାବୁ ନାହିଁ ଭାଇ ଉତ୍କଳି ହେ, ଅଛ ହୋଇ ନିସଙ୍ଖାଳୀ,

ଦେଖୁନାହିଁ ବଙ୍ଗ ଆନ୍ଧ୍ର ଭାତୃଗଣ

କେଉଁପ୍ରକାରେ ସାଧନ୍ତି କାର୍ଯ୍ୟମାନ । ପଦ ।

 

ସାଧନ୍ତି ଉନ୍ନତି, ଅନ୍ଧ ନିବନ୍ଧନ ଛିନ୍ନକରି

ଜାଣ ବୁଦ୍ଧିରେ ପୃଥିବୀରେ;

ଛାଡ଼ି ଛାର ଜାତିଭେଦ, ହୁଅନ୍ତି ବିଖ୍ୟାତ,

ପୂଜିତ, ସେବିତ, ସମ୍ମାନିତ । ୧ ।

ବିଲାତ ଫେରନ୍ତି, ରାଜ କର୍ତ୍ତୃପକ୍ଷ ପ୍ରଭୁ

ସ୍ୱରୂପରେ ଦଣ୍ଡନେ ମଣ୍ଡନେ

କାର୍ଯ୍ୟକାଣ୍ଡ କାରୁକାମ କୋଶଳେ କି ଦୃଶ୍ୟ

ଆଦର୍ଶ ଦର୍ଶାଇ ତୁମ୍ଭ ଦେଶେ । ୨ ।

 

ରେଙ୍ଗୁନ ଯାପାନ ଶିଳ୍ପ କୃଷିକର୍ମ ଶିକ୍ଷା

କରିବାକୁ ଉଲ୍ଲାସେ ବୁଲନ୍ତି;

ଦେଶ କାଳ ପାତ୍ରାପାତ୍ର ଉଚିତ ବ୍ୟାପାର କରନ୍ତି,

ନୁହଁନ୍ତି ଭୀତ ଚିତ୍ତ । ୩ ।

ଯଦିଚ ଭାବୁଛ ଦେଶ ଦେଶାନ୍ତରେ

ଜାତୀୟତା ରକ୍ଷା ସକାଶେ ମାନସେ,

ବିଦ୍ୟାଶିକ୍ଷା ସ୍ୱାଧୀନତା ନାରୀଙ୍କୁ

ପ୍ରଦାନ କରିଣ ବରଜ ବୃଥା ମାନ । ୪ ।

 

ରାଗ ଖମାଚ-ନବପୁଞ୍ଚ ତାଳ

ହେ ଭାରତବାସୀଗଣ, ଆଗେ କର ନିଦାନ ।

ତୁମ୍ଭ ପ୍ରିୟ ଜନ୍ମଭୂମି ପତନର କାରଣ । ପଦ ।

 

କଲେ ହେଲେ ଆନ୍ଦୋଳନ ରାଜନୀତି ନିବନ୍ଧନ,

କରିବାକୁ ନୁହଁ କ୍ଷମ ନିଜ ରାଜ୍ୟ ଶାସନ । ୧ ।

ଏହି ଦୁଷ୍ଟ ଜାତିଭେଦ ଥିବାଯାକ ମୂଳ ବଦ୍ଧ ।

ଭାରତୀୟ ଜାତୀୟତା ହେବନାହିଁ ସାଧନ । ୨ ।

 

ପୁରୋହିତ ଅତ୍ୟାଚାର କରିଅଛି ନାରଖାର ।

ପୁଣ୍ୟମୟ ଭାରତର ହିନ୍ଦୁଜାତି ଜୀବନ । ୩ ।

ଶିଶୁ ଦୁହିତା ବିକ୍ରୟ ଦେବ ନିଶ୍ଚେ ତାପତ୍ରୟ ।

କରଇ ବାଲ୍ୟ ବିବାହ ବଳ ବୀର୍ଯ୍ୟ ବିହୀନ । ୪ ।

 

ବିଧବାର ଅଭିଶାପ ବ୍ୟଭିଚାର ମହାପାପ ।

କରିବଟି ଭାରତରେ ଦ୍ୱିଜ ଜାତି ନାଶନ । ୫ ।

 

ଆଶାବରୀ-ଯତି

ଆଶା ହେଉଅଛି ଗୋ

ଦଶା ଫେରିବ ନିକଟେ ।

ଆମ୍ଭ ଭାଇମାନେ ଥିଲେ ତ ଗୁମାନେ

ଭାବିଲେଣି ହୃଦପଟେ । ପଦ ।

 

ଶିକ୍ଷିତ ସମାଜ ପାଇବାରୁ

ଲାଜ ଦୁର୍ଦ୍ଦଶା ମୋଚନପାଇଁ

ହୋଇ ବାକ୍ୟବୀର ଘେନି ଯୁକ୍ତିତୀର

ପ୍ରାଣପ୍ରାଣେ ଛନ୍ତି ଧାଇଁ । ୧ ।

ପ୍ରତିକୁଳ ଦଳ ହେଉଛୁ ନିର୍ମୁଳ

ଗାଅହେ ସଂସ୍କାର ଗୀତ

ଦେଶାଚାର ଦଳି ହୋଇ ମହା ବଳୀ

ମିଳିବେ ସର୍ବ ପଣ୍ଡିତ । ୨ ।

 

ନ ଥିଲା ସମିତି ସ୍ୱଜାତୀୟ ପ୍ରୀତି,

କ୍ଷଣଭାବେ ସେ ଉଦୟ ।

ହେଉଛି, ଯାଉଛି ଜଡ଼ତା ଉତ୍କଳୁ

କ୍ରମଶଃ ପାପକୁ ଭୟ । ୩ ।

ସମ୍ବାଦ ପତ୍ରିକା କଲେଣି ଜୀବିକା

ଦେଶ ସମାଜ ବିଷୟ ।

ବହୁଦର୍ଶୀବ୍ୟକ୍ତି ବ୍ୟୟ କରି ଶକ୍ତି

ବସାନ୍ତି ସଭାନିଚୟ । ୪ ।

 

ଉନ୍ମିଳିତ ନେତ୍ରେ ଶାସ୍ତ୍ରଜ୍ଞ ପଣ୍ଡିତେ

ଶାସ୍ତ୍ରାନୁଶୀଳନ କରି,

ନ ବିଳପ ନିଶ୍ଚେ ଅଳପ-ଦିନରେ

ଦୁର୍ଦ୍ଦଶା ଫେଡ଼ିବେ ହରି । ୫ ।

ଶ୍ରୀ ବାଞ୍ଛାନିଧି କବିଭୂଷଣ ।

ସମାପ୍ତ